ବିଶ୍ୱ ବ୍ୟାଙ୍କର ଆକଳନ, ୭.୫% ରହିବ ଭାରତର ଜିଡିପି ଅଭିବୃଦ୍ଧି, କହିଲା-‘ପୁଣି ଥରେ ବିପଦରେ ବିଶ୍ୱ ଅର୍ଥନୀତି’

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ହାରକୁ ହ୍ରାସ କରି ୭.୫% କରିଛି ବିଶ୍ୱ ବ୍ୟାଙ୍କ । ନିଜର ପୂର୍ବ ଆକଳନରେ ଆର୍ଥିକ ବର୍ଷ ୨୦୨୩ରେ ଭାରତର ଡିଜିପି ଗ୍ରୋଥ ୮.୭ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରିଥିଲା ବିଶ୍ୱ ବ୍ୟାଙ୍କ। କିନ୍ତୁ ଏବେ ଏହି ଆକଳନରେ ୧.୨ ପ୍ରତିଶତ ହ୍ରାସ କରିଛି।

ମଙ୍ଗଳବାର ବିଶ୍ୱ ବ୍ୟାଙ୍କ ଜାରି କରିଥିବା ନିଜର ଗ୍ଲୋବାଲ ଇକୋନମିକ୍ ପ୍ରସପେକ୍ଟସ ରିପୋର୍ଟରେ କହିଛି, ‘ବିଶ୍ୱ ବ୍ୟାଙ୍କ ଦରବୃଦ୍ଧି ସହ ଜଡିତ ଆହ୍ୱାନ, ଯୋଗାଣ ଶୃଙ୍ଖଳାରେ ବାଧା ଏବଂ ଭୂ-ରାଜନୈତିକ ଅସ୍ଥିତିରତାର ପ୍ରଭାବକୁ ନଜରରେ ରଖି ଭାରତର ଜିଡିପି ଅଭିବୃଦ୍ଧିର ଅନୁମାନ ହ୍ରାସ କରିଛି’।

ସେହିପରି ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ, ଆର୍ଥିକ ବର୍ଷ ୨୦୨୪ରେ ଜିଡିପି ଗ୍ରୋଥ ଅଧିକ ଧିମେଇ ଯାଇ ୭.୧ ପ୍ରତିଶତ ରହିବା ଅନୁମାନ କରାଯାଇଛି। ତେବେ ଏହାର ପୂର୍ବ ଆକଳନ ୬.୮ ପ୍ରତିଶତ ଠାରୁ ୦.୩ ପ୍ରତିଶତ ଅଧିକ ରହିଛି। ଏହାଛଡା ଆର୍ଥିକ ବର୍ଷ ୨୦୨୫ରେ ଭାରତର ଜିଡିପି ବିକାଶ ହାର ୬.୫ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି।

ବିଶ୍ୱ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ବିକାଶ ହାରରେ ୧.୨ ପ୍ରତିଶତର ବଡ ହ୍ରାସ କରିଛି ସତ, କିନ୍ତୁ ଏହି ସଂଖ୍ୟା ଭାରତ ସରକାରଙ୍କ ସଂସ୍ଥାର ଅନୁମାନଠାରୁ ଅଧିକ ରହିଛି । ଚଳିତ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୨% ରହିବା ନେଇ ପୂର୍ବାନୁମାନ କରିଛି । ତେବେ ପରିସଂଖ୍ୟାନ ମନ୍ତ୍ରଣାଳୟ ପୂର୍ବାନୁମାନ ଅନୁସାରେ, ଆର୍ଥିକ ବର୍ଷ ୨୦୨୨ରେ ୮.୭ ପ୍ରତିଶତ ହାରରେ ଭାରତର ଜିଡିପି ଅଭିବୃଦ୍ଧି ହେବ ।

ଅନ୍ୟପଟେ ରିପୋର୍ଟରେ କୁହାଯାଇଛି, ଯଦି ବିଶ୍ୱରେ ମନ୍ଦାବସ୍ଥା ସୃଷ୍ଟି ହୁଏ, ତେବେ ଏହାର ପ୍ରଭାବ ବର୍ଷ ବର୍ଷ ଯାଏଁ ଦେଖିବାକୁ ମିଳିବ। ଏହାସହ ୨୦୨୨ ଆର୍ଥିକ ବର୍ଷରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ହାର ୨.୯ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରିଛି ବିଶ୍ୱ ବ୍ୟାଙ୍କ । ରୁଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଜାନୁଆରୀରେ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ୪.୧ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଥିଲା।

Spread the love