ଜୀବନରେ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ
ଭୁବନେଶ୍ୱର,୮/୦୬:ଶିକ୍ଷାନୁଷ୍ଠାନଗୁଡ଼ିକ ସବୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ପାଠ୍ୟକ୍ରମ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବୁଧବାର ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ର ଅଧ୍ୟକ୍ଷ ପ୍ରଫେସର କେ.କେ. ଅଗ୍ରୱାଲ୍ କହିଛନ୍ତି। ଏହାହାସଲ କରିବାସହ ବହୁ ବିଷୟକ ଶିକ୍ଷା ଉପରେ ମନୋନିବେଶ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ହିଁ ଦୀର୍ଘ ୩୪ ବର୍ଷ ପରେ ପ୍ରସ୍ତୁତ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବାର୍ଷିକ ବକ୍ତୃତା ଦେବା ଅବସରରେ ପ୍ରଫେସର ଅଗ୍ରୱାଲ୍ କହିଛନ୍ତି । ବିଗତ ଅନେକ ବର୍ଷ ଧରି ଆମେ ଛାତ୍ରଛାତ୍ରୀମାନଙ୍କୁ ଶିଖାଇଛୁ ଯେ ପାଠ୍ୟ ପୁସ୍ତକରୁ ସେମାନେ ଯାହା ପଢ଼ିଛନ୍ତି ତାହାହିଁ ପରୀକ୍ଷା ଖାତାରେ ଲେଖିବା ଉଚିତ୍ । ଏହା ଯଦି ସେମାନେ ନ କରନ୍ତି ତେବେ ପରୀକ୍ଷାରେ କମ୍ ମାର୍କ ମିଳିବ । ଶିକ୍ଷା ବ୍ୟବସ୍ଥାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ହୋଇଆସିଛି ବୋଲି କହିବା ସହ ଆମେ ଅନେକଗୁଡ଼ିଏ ଶୁଆ ସୃଷ୍ଟି କରିଥିବା ବେଳେ କୌଣସି ବିଚାରଧାରା ସମ୍ପନ୍ନ ବ୍ୟକ୍ତି ବାହାର କରି ନାହୁଁ । ଏପରିକି ଆମେ
ଛାତ୍ରଛାତ୍ରୀଙ୍କୁ ଚିନ୍ତାଶୀଳ ହେବା ପାଇଁ ଅନୁମତି ମଧ୍ୟ ଦେଇନାହୁଁ ବୋଲି ସେ କହିଥିଲେ। ବିଗତ କିଛି ଦଶନ୍ଧି ଧରି ଆମେ ଯୁବକମାନଙ୍କ ଜୀବନରେ ଅନେକ କ୍ଷତି ସାଧନ କରିଛୁ । କାରଣ ସେମାନେ ଜୀବନରେ ଶଙ୍କାର ସମ୍ମୁଖୀନ ହେବା ଶିଖି ନାହାଁନ୍ତି । ଜୀବନରେ ବିପଦର ସମ୍ମୁଖୀନ ହେବା ପାଇଁ ପ୍ରୋତ୍ସାହିତ କରିବା ଉଚିତ୍ । ତେବେ ଏହାକୁ ଆମ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିପାରି
ନାହିଁ ବୋଲି ସେ କହିଛନ୍ତି ।
୧୯୪୭ ମସିହା ପରଠାରୁ ଭାରତରେ ଆଉ କେହି ନୋବେଲ ପୁରସ୍କାର ହାସଲ କରିନାହାଁନ୍ତି ବୋଲି ମନ୍ତବ୍ୟ ଦେଇ ସେ କହିଥିଲେ ଯେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସମସ୍ୟାର ସମାଧାନ କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରେ ନାହିଁ । ତେବେ ଜାତୀୟ ଶିକ୍ଷାନୀତିରେ ଏ କ୍ଷେତ୍ରକୁ ଦୃଷ୍ଟିରେ ରଖି ପରିବର୍ତନ କରାଯାଇଛି ବୋଲି ସେ କହିଛନ୍ତି ।
ନୋବେଲ ପୁରସ୍କାର ବିଜେତା ଇସିଡୋର୍ ଆଇ.ରବିଙ୍କ ଉଦାହରଣ ଦେଇ ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଅନ୍ୟ ପିଲାମାନଙ୍କର ବାପା-ମା’ମାନେ ସେମାନଙ୍କ ପିଲା ସ୍କୁଲରୁ ଫେରିବା ପରେ ଦିନସାରା କ’ଣ ପାଠ ପଢ଼ିଛନ୍ତି ସେ ବିଷୟରେ ପଚାରିଥାନ୍ତି। ମାତ୍ର ରବିଙ୍କ ମା’ ଦିନ ମଧ୍ୟରେ ସେ ତାଙ୍କ ଶିକ୍ଷକଙ୍କୁ କିଛି ନୂତନ ପ୍ରଶ୍ନ ପଚାରିଛନ୍ତି କି ବୋଲି ଜାଣିବାକୁ ଚାହିଁଥାନ୍ତି। ରବିଙ୍କର ଉକ୍ତିକୁ ଦର୍ଶାଇ ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ପ୍ରଶ୍ନ ପଚାରିବା ଦ୍ୱାରା ହିଁ ସେ ବୈଜ୍ଞାନିକ ହୋଇପାରିଲେ। ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଏଭଳି ଏକ ଦିନ ଆସିବ ଯେତେବେଳେ କି ଜଣେ ଛାତ୍ର ନିଜ ପାଠ୍ୟକ୍ରମରେ କେତୋଟି ବିଷୟବସ୍ତୁ ରହିବ ତାହା ସେ ନିଜେ ଚୟନ କରିବ । ୟୁଏସ୍ଏର ଜଣେ ଛାତ୍ରୀ କେମିକାଲ୍ ବାୟୋ-ଫିଜିକ୍ସ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। କାରଣ ସେ ଜାଣିବାକୁ ଚାହୁଁଥିଲେ ଯେ ପିଲାମାନେ କାହିଁକି ବଧିରହୋଇ ଜନ୍ମଗ୍ରହଣ କରୁଛନ୍ତି। ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଜଣେ ଛାତ୍ର ଏକାସଂଗେ ମେଡିସିନ୍ ଓ ଅର୍ଥନୀତି ପଢ଼ିବାନେଇ ଚିନ୍ତାକରିବା କଷ୍ଟକର। କିନ୍ତୁ ଜଣେ ଛାତ୍ର ଏହି ଦୁଇଟି ବିଷୟକୁ ଏକାସଂଗେ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କାରଣ ସେ ଆମେରିକାର ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ସାଧନ କରିବାକୁ ଚାହୁଁଥିଲେ। ସୋଆ ପ୍ରୋ- ଭାଇସ୍ ଚ୍ୟାନ୍ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ।