ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖୋର୍ଦ୍ଧା: ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ବୁଲିଲା ‘ଗରୁଡ଼’ । ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଆରମ୍ଭ ହୋଇଛି ଏହି ଅତ୍ୟାଧୁନିକ ପ୍ରଣାଳୀ ରେ ନିର୍ମିତ ହୋଇଥିବା ହାଉସ୍ ବୋଟ୍।  ଯାହାର ନାଁ ରହିଛି ‘ଗରୁଡ଼’ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଅନୁମୋଦନ ପରେ  ବିକାଶ ଇକୋ ରିସର୍ଟ ପକ୍ଷରୁ ନିର୍ମିତ ହୋଇଥିଲା ଏହି ହାଉସ୍ ବୋଟ୍ ତଥା “ଗରୁଡ” । ଏଥିରେ ଲୋକମାନେ ଚିଲିକା ପରିଭ୍ରମଣ କରିବେ, ଚିଲିକା ର  ସୌନ୍ଦର୍ଯ୍ୟ ଉପଭୋଗ କରିବେ , ବାର୍ଥ-ଡେ ପାର୍ଟି, ରିଙ୍ଗ୍-ସେରିମନି, ବିବାହ ବାର୍ଷିକୀ ପାଳନ, ରାତ୍ରୀ ଯାପନ ବ୍ୟବସ୍ଥା  ଇତ୍ୟାଦିର ମଜ୍ଜା ନେଇପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ୨୪ ଘଣ୍ଟା ପାଇଁ ଗୋଟିଏ ରୁମ ପିଛା ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।  ଲୋକଙ୍କ ପାଇଁ ରହିବା , ଖାଇବାର ବ୍ୟବସ୍ଥା ରହିଛି, ବେଡରୁମର ମଧ୍ୟ ବ୍ୟବସ୍ଥା ରହିଛି । ଡବଲ ଇଞ୍ଜିନି ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ ଫୁଟ ଓ ଓସାର ୨୨ ଫୁଟ ରହିଛି। ପ୍ୟାକେଜ ଅନୁଯାୟୀ ପର୍ଯ୍ୟଟକ ମାନେ ଚିଲିକା ମଧ୍ୟରେ ୨୪ ଘଣ୍ଟାର ମଜା ନେଇପାରିବେ।  ଏକକାଳୀନ  ୩୦ ପର୍ଯ୍ୟଟକଙ୍କୁ ନେଇ ଏହି ହାଉସ ବୋଟ ଚିଲିକା ହ୍ରଦକୁ ଯାତ୍ରା କରିବ। ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିବାରେ ସହାୟକ ହେବ ଏହି ଗରୁଡ । “ଗରୁଡ” ର ପରିଚାଳନା ଦାଇତ୍ୱ ତୁଲାଇବ ବିକାଶ ଇକୋ ରିସର୍ଟ ସଂସ୍ଥା । ପର୍ଯ୍ୟଟକ ରହିବା ନିମନ୍ତେ ୬ ଟି ବିଳାସ ପୂର୍ଣ୍ଣ କୋଠରୀ ସହିତ ବାର୍- ରେସ୍ତୋରାଁ ସୁବ୍ୟବସ୍ଥା ରହିଛି ।

Spread the love