IND vs SA: ବାରବାଟୀ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ମୋ ବସ୍ ବ୍ୟବସ୍ଥା

ଭୁବନେଶ୍ୱର: ବାରବାଟୀ-୨୦ ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଉ ୪୮ ଘଣ୍ଟା ପରେ ଦର୍ଶକଙ୍କ କୋଳାହୋଳରେ କମ୍ଫିବ ବାରବାଟୀ ଷ୍ଟାଡିୟମ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ତେବେ ମ୍ୟାଚ୍ ନେଇ ଦର୍ଶକଙ୍କ ଯିବା ଆସିବା ନିମନ୍ତେ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱରରୁ ବାରବାଟୀକୁ ଦୁଇଟି ରୁଟରେ ସ୍ୱତନ୍ତ୍ର ମୋ ବସ୍ ଚାଲିବ । ପ୍ରଥମ ରୁଟରେ ବସ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଦ୍ୱିତୀୟ ରୁଟରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ଯିବ ମୋ ବସ୍ । ଏହି ସ୍ୱତନ୍ତ୍ର ବସର ଭଡା ୪୦ ଟଙ୍କା ରଖାଯାଇଛି । ଏନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ସୂଚନା ଦିଆଯାଇଛି।

ମ୍ୟାଚ୍ ସନ୍ଧ୍ୟା ୭ଟାରୁ ୧୧ଟା ମଧ୍ୟରେ ଖେଳାଯିବ। ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନରୁ ମଧ୍ୟାହ୍ନ ୧୨ଟା୩୦ ରୁ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ଵତନ୍ତ୍ର ମୋ ବସ୍ ଉପରୋକ୍ତ ଦୁଇଟି ରୁଟ୍‌ରେ ଚଳାଚଳ କରିବ। ସେହିପରି ମ୍ୟାଚ୍ ସରିବା ପରେ ରାତି ୧୧ଟା ୩୦ରୁ ଦର୍ଶକଙ୍କୁ ନେଇ ମୋ ବସ୍ ଷ୍ଟାଡିୟମରୁ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାତ୍ରା କରିବ।

ମ୍ୟାଚ୍ ଆୟୋଜନ ନେଇ ଶୁକ୍ରବାର ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବିନା ମାସ୍କରେ ମ୍ୟାଚ୍ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହା ପୂର୍ବରୁ ନୋ ମାସ୍କ ନୋ ଏଣ୍ଟ୍ରି ନେଇ ସ୍ପଷ୍ଟ କରାଯାଇଛି । ଉତ୍ସାହ ଏବଂ ଉଦ୍ଦିପନା ନାମରେ ଗଣ୍ଡଗୋଳ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଦର୍ଶକଙ୍କ ସାମ୍ନାରେ ପୋଲିସ କର୍ମଚାରୀ ଛିଡା ହେବେ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।

ମ୍ୟାଚ୍ ସମୟରେ ୪ ଡିସିପିଙ୍କ ସମେତ ରହିବେ ୭ ଆଡିସନାଲ ଡିସିପି। ସୁରକ୍ଷା ଦାୟିତ୍ଵ ୨୮୦ ଅଫିସର ସହିତ ୬୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।  ଟ୍ରାଫିକ ପାଇଁ  ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଖେଳାଳିଙ୍କ ସୁରକ୍ଷା ଠାରୁ ମ୍ୟାଚ୍ ଶାନ୍ତି ଶୃଙ୍ଖଳା ପୋଲିସର ଦାୟିତ୍ବ ରହିବ। ଟିକେଟ କଳାବଜାରୀଙ୍କ ଉପରେ କଡା ନଜର ରଖାଯିବା ସହ ଧରା ପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

Spread the love