ରାଜଧାନୀରେ କାୟା ମେଲାଇ ଚାଲିଛି ଡେଙ୍ଗୁ

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ  କାୟା ବିସ୍ତାର କରି ଚାଲିଛି।ନିଳାନ୍ଦିବିହାରରରେ ଜଣେ ଡେଙ୍ଗୁ ରୋଗୀର ମୃତ୍ୟୁ ହୋଇଛିି।ଡେଙ୍ଗୁ ମୃତ୍ୟୁ ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଚେତିଛି। ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ରାଜଧାନୀରେ ମଶା ମାରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ଯେଭଳି ପ୍ରତି ୱାର୍ଡରେ ମଶାଧୂଆଁ ଦିଆଯିବ ସେ ନେଇ ସମୟ ଧାର୍ଯ୍ୟ ହୋଇଛି। ପ୍ରତିଦିନ ଯେପରି ଦୁଇରୁ ତିନୋଟି ୱାର୍ଡରେ ୱାର୍ଡରେ ଧୂଆଁ ଦିଆଯାଇପାରିବ ସେହି ଲକ୍ଷ୍ୟ ନେଇ ଆଜିଠାରୁ ମଶା ଧୂଆ ଛଡ଼ାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧, ୨ ଓ ୩ ନମ୍ବର ୱାର୍ଡରେ ମଶା ଧୂଆଁ ଛଡ଼ାଯାଇଛି।ଡେଙ୍ଗୁ ସଂକ୍ରମଣ ଦୃଷ୍ଟିରୁ ୩ ନମ୍ବର ୱାର୍ଡ ତଥା ଡମଣା ଗାଁ ଏବେ ଅଧିକ ସମ୍ବେଦନଶୀଳ ରହିଛି। ତେଣୁ ଏହାକୁ ଅଧିକ ଗୁରୁତ୍ବ ଦିଆଯିବା ସହ ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କ ନେତୃତ୍ବରେ ଏକାଧିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସନ୍ଧ୍ୟାରେ ମଶା ଧୂଆଁ ଛଡ଼ାଯିବା ବେଳେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଛନ୍ତି। ଏଥିସହ ୧ ଓ ୨ ନମ୍ବର ୱାର୍ଡ ଅଧୀନରେ ଆସୁଥିବା ପ୍ରଶାନ୍ତିବିହାର, ପଟିଆ, କିଟ୍‌ ଅଞ୍ଚଳ, ଶିଖରଚଣ୍ଡୀନଗର କ୍ଲଷ୍ଟର ୧, ୨, ୩, ମାରୁତିବିହାର, ଆର୍ଯ୍ୟପଲ୍ଲୀ ଆଦି ଅଞ୍ଚଳରେ ବି ମଶା ଧୂଆଁ ଛଡ଼ାଯାଇଛି। ମାତ୍ର ଧୂଆଁ ଛଡ଼ାଯାଉଥିଲେ ମଧ୍ୟ ମଶାଙ୍କ ସାନ୍ଦ୍ରତା ଅର୍ଥାତ୍‌ ଗୋଟିଏ ଘନଫୁଟ ଅଞ୍ଚଳରେ କେତେ ମଶା ଅଛନ୍ତି ତାହା ଏପର୍ଯ୍ୟନ୍ତ ମାପ କରାଯାଇ ନାହିଁ। କେବଳ ଅନୁମାନ କରି ମେସିନ୍‌ ଧୂଆଁ ଦେଉଛି। ଫଳରେ ଏହି ଧୂଆଁ କାମରେ ନ ଲାଗିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।ଡେଙ୍ଗୁ କାୟା ମେଲାଇଥିବା ବେଳେ ବିଏମ୍‌ସି ପକ୍ଷରୁ ରାଜଧାନୀରେ ଏପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇ ନାହିଁ। ସ୍ବତନ୍ତ୍ର ଅଧିକାରୀ କିମ୍ବା ପ୍ରଚାର ଗାଡ଼ି ଏପର୍ଯ୍ୟନ୍ତ ଗଳିକନ୍ଦିରେ ବୁଲି ନାହିଁ। ସଫେଇ କଥା ନ କହିବା ଭଲ। ସକାଳୁ ଯେଉଁ ଝାଡ଼ୁ ମରାଯାଉଛି ତାହାକୁ ରାସ୍ତାପାର୍ଶ୍ବରେ ଥୋଇ ଦେଇ ଝା‌ଡ଼ୁଦାର ଚାଲି ଯାଉଛନ୍ତି। କେହି ଉଠାଇବାକୁ ଆସୁନାହାନ୍ତି। ଏସବୁରେ ପାଣି ଜମି ମଶା ବଂଶ ବିସ୍ତାର ହେବାର ଆଶଙ୍କା ରହିଛି। ୩, ୮, ୧୪ ନମ୍ବର ୱାର୍ଡରେ ଏହି ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏବସ୍ତି ଅଞ୍ଚଳରେ ଠିକ୍‌ ଭାବେ ସଫେଇ ହେଉ ନ ଥିବା ନେଇ କିଛି ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ବସ୍ତିରେ ଯୁଆଡ଼େ ଦେଖିବେ ଅପରିଷ୍କାର। ନାଳ ହେଉ କି ନର୍ଦମା ସବୁଠି ମଶା। ବର୍ତମାନ ପର୍ଯ୍ୟନ୍ତ ବିଏମସି ଅଧିକାରୀମାନେ କୌଣସି ପ୍ରକାର ସଚେତନ କରାଉ ନାହାନ୍ତି। କେଉଁଠି କେଞ୍ଚାଏ ତ ପୁଣି କେଉଁଠି ମେଞ୍ଚାଏ ଧୂଆଁ ଛଡ଼ା ଯାଉଛି। ‌ଜମି ରହିଥିବା ସନ୍ତସନ୍ତିଆ ସ୍ଥାନରେ ସଠିକ୍‌ ଭାବେ ‌ଔଷଧ ପକାଯାଉ ନାହିଁ।

Spread the love