ଦେବସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀନଅରଠୁ ଶ୍ରୀମନ୍ଦିର ଯାଏଁ ଜିକ୍‌ଜ୍ୟାକ୍‌ ବ୍ୟାରିକେଡ

ପୁରୀ ୧୧/୦୬: ଆଉ ମାତ୍ର ଦୁଇ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ପାଗ ଅନୁକୂଳ ଥିବାରୁ ସ୍ନାନ ପୂର୍ଣ୍ଣମୀ ଦିନ ଦୁଇଗୁଣା ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଶ୍ରୀନଅର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି । ଦୀର୍ଘ ଦୁଇବର୍ଷ ପରେ ଲକ୍ଷ ଲକ୍ଷ ଭକ୍ତ ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପ୍ରତିକୂଳ ପାଗ ସାଙ୍ଗକୁ ପ୍ରଶାସନର ଆକଳନ ଅନୁଯାୟୀ ପ୍ରାୟ ୫ ରୁ ୭ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ଏଥିପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ତିନି ରଥର ଚାରି ନାହାକା ଉଠିବା ଟାର୍ଗେଟ ଥିଲେ ମଧ୍ୟ ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ଗତକାଲି ସକାଳୁ ଚାରି ନାହାକା ଉଠିସାରିଛି ।

ତେବେ ନନ୍ଦିଘୋଷ ରଥର ସାନଉଛୁଳା ଅଖରେ ଫାଟ ଥିବାରୁ ଏହାକୁ ପରିବର୍ତ୍ତନ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ରାସ୍ତାକୁ ଭାଇବ୍ରେଟର ସାହାର୍ଯ୍ୟରେ ଖୋଳାଯାଇ ଫାଟ ଥିବା ଅଖକୁ କଢ଼ାଯାଇ ନୂତନ ଅଖ ଲଗାଯାଇଛି । ନନ୍ଦିଘୋଷ ରଥର ସାନଉଛୁଳା ତଥା ପଛ ବ୍ରେଗ ଅଖରେ ଫାଟ ଥିବା ଜଣାପଡିବା ପରେ ବୈଷୟିକ କମିଟି ଏହାର ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଇଥିଲା । ପୂର୍ବତଟ ରେଳବାଇର ମେକାନିକାଲ ଟିମ୍ ସହାୟତାରେ ଜ୍ୟାକ ଲଗାଯାଇ ଦୁଇ ଚକ ତଳ ଖନନ କରାଯାଇଥିଲା । ଦୁଇ ଚକ ଓ ଭାଙ୍ଗି ଯାଇଥିବା ଅଖ ବାହାର କରାଯାଇ ପ୍ରସ୍ତୁତ ହୋଇଥିବା ନୂତନ ଅଖ ସହ ଚକ ସଂଯୋଗ କରାଯାଇଛି। ପରେ ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କଣ୍ଟା ପିଟାଯାଇଛି। ଏହି ଅଖ ପରିବର୍ତ୍ତନ ଯୋଗୁଁ ଆଜି ରଥ ନିର୍ମାଣ କାର୍ଯ୍ୟ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା।

Spread the love