ଭାରତୀୟ ଟେଷ୍ଟ୍‌ ଦଳ ଘୋଷିତ: ରାହୁଲ ବାଦ୍, ଶୁଭମନ୍‌ଙ୍କୁ ସୁଯୋଗ

ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଲାଗି ଗୁରୁବାର ୧୫ ଜଣିଆ ଭାରତୀୟ ଦଳ ଘୋ‌ଷଣା କରାଯାଇଛି। ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ବକପ୍ (୨୦୧୮) ଦଳର ସଦସ୍ୟ ତଥା ପଞ୍ଜାବର ୨୦ ବର୍ଷୀୟ ଡହାଣହାତୀ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ପ୍ରଥମ ଥର ପାଇଁ ଟେଷ୍ଟ୍‌ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟ ପକ୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟିକିଆ ଶୃଙ୍ଖଳାରେ ଦୁର୍ବଳ ପ୍ରଦର୍ଶନ କରିଥିବା ଲୋକେଶ ରାହୁଲଙ୍କୁ ଚୟନକର୍ତାମା‌ନେ ବାଦ୍ ଦେଇଛନ୍ତି। ତାଙ୍କ ସ୍ଥାନରେ ହିଁ ଶୁଭମନ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।

ଶୁଭମନଙ୍କୁ ସୁଯୋଗ ମିଳିବା ପରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭାରତ ନୂ୍ଆ ପ୍ରାରମ୍ଭିକ ଯୋଡ଼ି ନେଇ ଖେଳିବା ସ୍ପଷ୍ଟ ହୋଇଯାଇଛି। ଅନ୍ୟ ଏକ ବଡ଼ ପରିବର୍ତନ ଭାବେ ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଜାତୀୟ ଚୟନ ସମିତି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ରୋହିତ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ଭାରତୀୟ ଟେଷ୍ଟ୍‌ ଦଳରେ ଥିଲେ। ହେଲେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ। ଅନ୍ୟପକ୍ଷରେ ରାହୁଲ ଦୁଇଟି ଯାକ ମ୍ୟାଚ୍ ଖେଳି ଲଗାତାର ବିଫଳ ହୋଇଥିଲେ। ରାହୁଲ ଇଣ୍ଡିଜ୍‌ରେ ଖରାପ ଖେଳିବା ପରେ ଆଗାମୀ ସମୟରେ ରୋହିତଙ୍କୁ ପାଳି ଆରମ୍ଭ କରିବା ସୁଯୋଗ ମିଳିବ‌ ବୋଲି ପ୍ରସାଦ କିଛି ଦିନ ତଳେ ସଙ୍କେତ ଦେଇଥିଲେ। ରୋହିତ ମଧ୍ୟକ୍ରମରୁ ପ୍ରାରମ୍ଭିକ ‌ବ୍ୟାଟ୍ସମ୍ୟାନର ପଦୋନ୍ନତି ପାଇବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୟଙ୍କ ଅଗ୍ରୱାଲଙ୍କ ସହ ଶୁଭମନ୍ କିମ୍ବା ତାଙ୍କ ମଧ୍ୟରୁ ଜଣେ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ। ଅଭିଜ୍ଞତା ଦୃଷ୍ଟିରୁ କିନ୍ତୁ ରୋହିତ କର୍ଣ୍ଣାଟକର ଯୁବ ବ୍ୟାଟ୍ସମ୍ୟାନ୍ ମୟକଙ୍କ ଯୋଡ଼ିଦାର ହେବାର ଅଧିକ ସମ୍ଭାବନା‌ ରହିଛି।

Spread the love