ସର୍ବଭାରତୀୟ ସ୍ତରରେ କେନ୍ଦୁଝର ଛାତ୍ରୀଙ୍କର ବିରଳ କୃତିତ୍ଵ, ଏମ୍‌ବିବିଏସ୍‌ରେ ହାସଲ କଲେ ରାଷ୍ଟ୍ରପତି ସ୍ଵର୍ଣ୍ଣପଦକ

ପାଟଣା, ୧୧/୦୬: ସର୍ବଭାରତୀୟ ସ୍ତରରେ କେନ୍ଦୁଝର ଛାତ୍ରୀଙ୍କର ବିରଳ କୃତିତ୍ଵ ହାସଲ । ପୁନେର ସଶସ୍ତ୍ର ସେନା ଚିକିତ୍ସା ମହାବିଦ୍ୟାଳୟ ୨୦୨୨ ମସିହାର ସମାବର୍ତ୍ତନ ଉତ୍ସବରେ ଓଡ଼ିଆ ଝିଅ ଅମଲିନା ପ୍ରିୟଦର୍ଶିନୀ ଶ୍ରେଷ୍ଠ ସ୍ନାତକ (ଏମ,ବି,ବି,ଏସ୍) ଭାବେ ରାଷ୍ଟ୍ରପତିଙ୍କର ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି । ଏଥିସହିତ ସେ ସର୍ବଶ୍ରେଷ୍ଠ ଏକାଡେମିକ୍ ରେକର୍ଡ଼ ପାଇଁ କଳିଙ୍ଗ ଟ୍ରଫି, ଡ଼ାଇରେକ୍ଟର୍ ଜେନେରାଲ୍ ସଶସ୍ତ୍ର ସେନା ଚିକିତ୍ସାସେବା ପାଇଁ ସ୍ଵର୍ଣ୍ଣ ପଦକ, କମ୍ୟୁନିଟି ମେଡ଼ିସିନ୍ ପାଇଁ ସ୍ଵର୍ଣ୍ଣପଦକ; ଏପରି ୪ଟି ମୁଖ୍ୟ ପୁରସ୍କାର ହାସଲ କରିଛନ୍ତି । ଅମଲିନା ଏବେ ଏହି କଲେଜର କ୍ୟାପଟେନ୍ ଦାୟିତ୍ଵରେ ଅଛନ୍ତି । ୨୦୧୭ ମସିହାରେ ସେ ସିବିଏସଇ ବୋର୍ଡ ପରୀକ୍ଷାରେ ୯୯.୧ ପ୍ରତିଶତ ନମ୍ବର ରଖି ତେଲେଙ୍ଗାନା ରାଜ୍ୟରେ ଟପ୍ପର୍ ହୋଇଥିଲେ ।

ସୂଚନାଯୋଗ୍ୟ, ୨୦୨୦ ମସିହା ଜୁନ୍ ମାସରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଅମଲିନାଙ୍କ ମା ଗୀତାଞ୍ଜଳି ମହାନ୍ତଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଗୁରୁତର ଆହତ ଅମଳିନା ୩ଟି ବଡ଼ ଅସ୍ତ୍ରୋପଚାର ପରେ ଏବେ ସୁସ୍ଥ ହୋଇଛନ୍ତି । ଏଭଳି ମାନସିକ ତଥା ଶାରୀରିକ ଯନ୍ତ୍ରଣା ସତ୍ତ୍ଵେ, ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ଅମଲିନାଙ୍କ ଘର ସାହାରପଡ଼ା ବ୍ଳକ ଗଦଗଦି ଗାଁରେ ହୋଇଥିବା ବେଳେ, ତାଙ୍କ ବାପା ଡ଼ମ୍ବରୁଧର ଅମରେଶ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ରୂପେ ଦିଲ୍ଲୀରେ ଅବସ୍ଥାପିତ ଅଛନ୍ତି ।

Spread the love