ତାଜିକିସ୍ତାନକୁ ୫୦ ଶଯ୍ୟା ବିଶିଷ୍ଟ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କଲା ଭାରତ
ନୂଆଦିଲ୍ଲୀ : ତାଜିକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ବିରାଜ ସିଂ ଦିନ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କରିଛନ୍ତି। ଏହି ହସ୍ପିଟାଲରେ ଅପରେଶନ ଥିଏଟର, ଏକ୍ସ-ରେ ମେସିନ, ଲାବୋରେଟୋରୀ, କ୍ରିଟିକାଲ କେୟାର ଆମ୍ବୁଲାନ୍ସ ଏବଂ ପ୍ରଶାସନିକ ଯାନ ସମେତ ମେଡିକାଲ ଉପକରଣ, ଔଷଧ, ଷ୍ଟୋର୍ ଏବଂ ଆନୁଷଙ୍ଗିକ ସାମଗ୍ରୀ ଆଦି ରହିଛି। ଭାରତ ସରକାରଙ୍କ ଦ୍ୱାରା ଏହି ହସ୍ପିଟାଲକୁ ନବୀକରଣ କରାଯାଇଥିଲା ଏବଂ ଜାନୁୟାରୀ ୨୦୧୩ରେ ଉଭୟ ପକ୍ଷ ମଧ୍ୟରେ ଏନେଇ ଏକ ଚୁକ୍ତି ହୋଇଥିଲା ଏବଂ ଅକ୍ଟୋବର ୨୦୧୪ରେ ଏହାର ଲୋକାର୍ପଣ କରାଯାଇଥିଲା। ଭାରତ ସରକାରଙ୍କ ବୈଷୟିକ ସହାୟତା ତଥା ଆର୍ଥିକ ସହାୟତାକୁ ଆଧାର କରି ଗତ ଆଠ ବର୍ଷ ମଧ୍ୟରେ ତାଜିକିସ୍ତାନର ସଶସ୍ତ୍ର ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେଇଛି ବୋଲି ଭାରତୀୟ ଦୂତାବାସର ଏକ ବିବୃତ୍ତିରେ କୁହାଯାଇଛି।ବର୍ତ୍ତମାନ ଏହି ହସ୍ପିଟାଲରେ ଇଏନଟି, ସର୍ଜରୀ, ସ୍ତ୍ରୀ ରୋଗ, ମେଡିସିନ, ଶିଶୁରୋଗ ଏବଂ ଦନ୍ତ ଚିକିତ୍ସା ବିଭାଗ ସହିତ ଅନ୍ୟ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ହସ୍ପିଟାଲରେ ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ହଜାରରୁ ଅଧିକ ଅସ୍ତ୍ରୋପଚାର ସହିତ ଏକ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଭାରତୀୟ ସେନାର ଡାକ୍ତର ଏବଂ କର୍ମଚାରୀଙ୍କ ଏକ ଟିମ ତାଜିକିସ୍ତାନର ନାଗରିକମାନଙ୍କୁ ବିଭିନ୍ନ ଚିକିତ୍ସା ସେବା ପ୍ରଦାନ କରିବା ସହିତ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ତାଲିମ ଦେଉଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ୪୨ ଟନ୍ରୁ ଅଧିକ ମେଡ ଇନ ଇଣ୍ଡିଆ ଔଷଧ ମୈତ୍ରୀ ହସ୍ପିଟାଲକୁ ପଠାଯାଇଛି । ଭାରତ ସରକାର ତାଜିକିସ୍ତାନକୁ ଅନ୍ୟାନ୍ୟ ଚିକିତ୍ସା ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଦକ୍ଷିଣ-ପଶ୍ଚିମ ତାଜିକିସ୍ତାନରେ ପୋଲିଓ ବ୍ୟାପିବା ପରେ ୨୦୧୦ ରେ ୟୁନିସେଫ ମାଧ୍ୟମରେ ଭାରତ ଦୁଇ ଲକ୍ଷ ଡୋଜ ପୋଲିଓ ଟିକା ପ୍ରଦାନ କରିଥିଲା। ମାର୍ଚ୍ଚ ୨୦୧୮ ରେ, ଭାରତ ତାଜିକିସ୍ତାନର ବିଭିନ୍ନ ଅଞ୍ଚଳକୁ ୧୦ ଟି ଆମ୍ବୁଲାନ୍ସ ଉପହାର ଦେଇଥିଲା। ମେ ୨୦୨୦ରେ, ଭାରତରେ କରୋନା ମହାମାରୀ ସଂକ୍ରମଣ ସମୟରେ ତାଜିକିସ୍ତାନକୁ ୫୦ ହଜାର ହାଇଡ୍ରୋକ୍ସିକେ୍ଲାରୋକ୍ୱାଇନ ଟ୍ୟାବଲେଟ ଏବଂ ଏକ ଲକ୍ଷ ପାରାସିଟାମୋଲ ଟାବଲେଟ ଯୋଗାଇ ଦିଆଯାଇଥିଲା। ୨୦୨୧ରେ, ତାଜିକିସ୍ତାନକୁ ପ୍ରାୟ ସାତ ଲକ୍ଷ ମେଡ ଇନ ଇଣ୍ଡିଆ କୋଭିଶିଲ୍ଡ ଟିକା ଯୋଗାଇ ଦିଆଯାଇଥିଲା। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତ ଦ୍ୱାରା ସ୍ଥାପିତ ହୋଇଥିବା ମୈତ୍ରୀ ହସ୍ପିଟାଲକୁ ପ୍ରଭାବଶାଳୀ ଏବଂ ଦକ୍ଷତାର ସହ ତାଜିକିସ୍ତାନ ପରିଚାଳନା କରାଇବ।