ରଜରେ ଭିଜିବ ସାରା ଓଡିଶା

ଭୁବନେଶ୍ୱର, ୧୨/୦୬: ଶୀଘ୍ର ତାତିରୁ ମିଳିବ ଆଶ୍ୱସ୍ତି । ରଜରେ ଭିଜିବ ସାରା ଓଡ଼ିଶା । ଆସନ୍ତା ୪ରୁ ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ । ମୌସୁମୀ ପହଞ୍ଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁସାରିଲାଣି । ଆସନ୍ତା ୪ରୁ ୫ଦିନ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ । ଯାହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ସମୟରେ ମୌସୁମୀ ସାରା ରାଜ୍ୟରେ ପହଞ୍ଚିବ । ଆସନ୍ତା କିଛିଦିନ ରାଜ୍ୟରେ ବର୍ଷା ଜାରି ରହିବ । ଫଳରେ ତାପମାତ୍ରା କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

ରବିବାରଠୁ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ କାଳବୈଶାଖୀ ବର୍ଷା ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟାଗଡ଼ା, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ରବିବାର ରାଜ୍ୟରେ ମେଘୁଆ ପାଗ ରହିବ । ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବା ସହିତ ୧୮ ସୁଦ୍ଧା ସାରା ରାଜ୍ୟ ଛୁଇଁବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଶନିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ ଗୋପାଳପୁରରେ ୮ ମିଲିମିଟର ଓ ପୁରୀରେ ୧ ମିଲିମିଟର ବର୍ଷା ହୋଇଛି । ସକାଳ ୮ଟା ୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରରେ ୭ ମିମି ଓ ଭବାନୀପାଟଣାରେ ୧ ମିମି ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Spread the love