ସତ୍ୟାଗ୍ରହର ନାଟକ କରୁଛି କଂଗ୍ରେସ :ଡ.ସମ୍ବିତ ପାତ୍ର

ଭୁବନେଶ୍ୱର, ତା.୧୨/୦୬ : କଂଗ୍ରେସ ଦଳ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର । ଗାନ୍ଧୀ ପରିବାର ଭ୍ରଷ୍ଟାଚାରରେ ସଂପୂର୍ଣ୍ଣ ଲିପ୍ତ ବୋଲି ସମସ୍ତଙ୍କୁ ଜଣାଅଛି । ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧି ପରିବାରର ସଂପୃକ୍ତି କାରଣରୁ ବର୍ତମାନ ଉଭୟ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି କୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ ପାଇ ବାହାରେ ବୁଲୁଛନ୍ତି । ଅର୍ଥ ହେରଫେର ମାମଲାର ତଦନ୍ତ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଉଭୟଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ । ସୋନିଆ ଗାନ୍ଧି ହାଜର ହୋଇନଥିବାବେଳେ ଆସନ୍ତାକାଲି ରାହୁଲ ଗାନ୍ଧି ହାଜର ହେବାର ଅଛି । ଜାତୀୟ ସଂପତିକୁ ଚୋରି କରିଥିବା ଏବଂ ଧରାପଡିବା ଭୟରେ ଗାନ୍ଧି ପରିବାର ପୁଣି ଡ୍ରାମାବାଜୀ ଆରମ୍ଭ କରିଦେଇଛନ୍ତି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର କହିଛନ୍ତି ।
ନ୍ୟାସନାଲ ହେରାଲ୍ଡ ଦୁର୍ନୀତିରେ ଛନ୍ଦି ହୋଇପଡିଥିବା ଏବଂ ଜାତୀୟ ସଂପତିକୁ ଚୋରି କରିଥିବା ଅଭିଯୋଗରୁ ଖସିଯିବା ପାଇଁ ଗାନ୍ଧି ପରିବାର ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି । ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କୁ ବଂଚାଇବା ପାଇଁ ଆସନ୍ତା କାଲି ସମସ୍ତ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀକୁ ଆଣି ସତ୍ୟାଗ୍ରହ କରାଯିବାକୁ ଡାକରା ଦିଆଯିବା କେବଳ ଏକ ନାଟକବାଜୀ ବୋଲି ଡ.ପାତ୍ର କହିଛନ୍ତି ।
ପାଂଚ ହଜାରରୁ ଊର୍ଦ୍ଧ୍ୱ ସ୍ୱାଧିନତା ସଂଗ୍ରାମୀଙ୍କଠାରୁ ଟଙ୍କା ଆଣି ୧୯୩୭ ମସିହାରେ ଜବାହାରଲାଲ ନେହେରୁ ଏସୋସିଏଟ୍ ଜର୍ନାଲ କମ୍ପାନୀ (ଏଜେଏଲ୍‌) ପ୍ରତିଷ୍ଠା କରିଥିଲେ । ଏହି ବ୍ୟବସାୟିକ କମ୍ପାନୀର କରଜ ପରିମାଣ ୯୦ କୋଟି ଟଙ୍କା ବୃଦ୍ଧି ପାଇବା କାରଣରୁ ୨୦୦୮ ମସିହାରେ ଏହାକୁ ବନ୍ଦ କରିଦିଆଗଲା । ପରବର୍ତୀ ସମୟରେ ଏଜେଏଲ କମ୍ପାନୀ କଂଗ୍ରେସ ଦଳରୁ ୯୦ କୋଟି ଟଙ୍କା ଆଣିଥିଲା । ଗାନ୍ଧି ପରିବାରର ନିର୍ଦ୍ଦେଶକ୍ରମେ କଂଗ୍ରେସ ଦଳର କୋଷାଧ୍ୟକ୍ଷ ଶ୍ରୀ ମୋତିଲାଲ ବୋରା ଏଜେଏଲ କମ୍ପାନୀର ଚେୟାରମ୍ୟାନ ଥିବା ସେହି ମୋତିଲାଲ ବୋରାଙ୍କୁ ୯୦ ଟଙ୍କା ଦେଇଥିଲେ । ଯାହାକି ଆଇନତଃ ଅପରାଧ । ସମୟକ୍ରମେ ୟଙ୍ଗ ଇଣ୍ଡିଆ କମ୍ପାନୀ ଗଠନ କରାଯାଇଥିଲା ଏବଂ ଏହାର ଅଧ୍ୟକ୍ଷ ମଧ୍ୟ ମୋତିଲାଲ ବୋରା ହୋଇଥିଲେ । ସେୟାର ହୋଲ୍ଡରଙ୍କ ବିନା ପରାମର୍ଶରେ ଏଜେଏଲ କମ୍ପାନୀର ସେୟାରକୁ ୟଙ୍ଗ୍ ଇଣ୍ଡିଆକୁ ବିକ୍ରି କରିଦିଆଯାଇଥିଲା, ଯାହାକି ସଂପୂର୍ଣ୍ଣ ଅବୈଧ ଏବଂ ଆଇନିବିରୋଧି । ମାତ୍ର ୫ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ୟଙ୍ଗ୍ ଇଣ୍ଡିଆ କଂପାନୀରେ ଏଜେଏସ୍ କଂପାନୀ ନାମରେ ଥିବା ଦିଲ୍ଲୀ, ମୁମ୍ବାଇ, ହରିୟାନା, ଇନ୍ଦୋର, ଭୋପାଳ ସମେତ ଦେଶର ବିଭିନ୍ନ ସ୍ଥାନରେ ଜମି ଆପେଆପେ ୟଙ୍ଗ୍ ଇଣ୍ଡିଆର ହୋଇଗଲା, ଯାହାର ମୂଲ୍ୟ ପ୍ରାୟ ୫୦୦୦କୋଟି ହେବ । ୫ଲକ୍ଷ ଟଙ୍କାରେ ଗାନ୍ଧି ପରିବାର ୫୦୦୦କୋଟିର ସମ୍ପତିର ମାଲିକ ହୋଇଗଲେ । ୟଙ୍ଗ୍ ଇଣ୍ଡିଆ ଲିମିଟେଡ କମ୍ପାନୀରେ ସୋନିଆ ଗାନ୍ଧିଙ୍କ ୩୮ପ୍ରତିଶତ ଓ ରାହୁଲ ଗାନ୍ଧିଙ୍କ ୩୮ ପ୍ରତିଶତ ସେୟାର ରହିଛି । ଏହା ବ୍ୟତୀତ ମୋତିଲାଲ ବୋରାଙ୍କ ୧୨ ପ୍ରତିଶତ ସେୟାର ରହିଛି । ଜାତୀୟ ସମ୍ପତିକୁ ଛଳନା କରି ହାତେଇଥିବା ଗାନ୍ଧି ପରିବାର ଧରା ପଡିବା ଭୟରେ ସତ୍ୟାଗ୍ରହ କରିବାର ଛଳନା ଆରମ୍ଭ କରିଦେଇଛି ବୋଲି ଡ.ପାତ୍ର କହିଛନ୍ତି ।

Spread the love