ମୋଦିଙ୍କ ବିକାଶଧାରାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: ସମୀର ମହାନ୍ତି
ଭୁବନେଶ୍ୱର, ତା.୧୨/୦୬: ମୋଦି ସରକାରଙ୍କ ଗତ ୮ ବର୍ଷ ଯାତ୍ରାରେ ଭାରତୀୟ ରାଜନୀତିକୁ ସର୍ବସ୍ପର୍ଶୀ, ସର୍ବ ସମାବେଶୀ, ବିକାଶବାଦର ଜୟଯାତ୍ରାରେ ପରିଣତ କରାଯାଇଛି । ଏହି ୮ ବର୍ଷ ଶାସନରେ ଗରିବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ଅଳ୍ପସଂଖ୍ୟକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନର ଉତ୍ଥାନ ହୋଇଛି । ଆତ୍ମ ବିଶ୍ୱାସ ବୃଦ୍ଧି ପାଇବା ସହ ଆତ୍ମନିର୍ଭର ଭାରତ ପଥରେ ଦୃତ ଅଗ୍ରସର ହେଉଛି ଭାରତବର୍ଷ । ସମସ୍ତ କ୍ଷେତ୍ରରେ ଜନତାଙ୍କ ମୈାଳିକ ସୁବିଧା ବୃଦ୍ଧି ପାଇବା ସହ କୃଷକ ଏବଂ ଗରିବଙ୍କ ଆୟ ବୃଦ୍ଧି ପାଇଛି । ଲୋକଙ୍କ ଭିତରେ ରାଷ୍ଟ୍ରବାଦ ଭାବନା ବୃଦ୍ଧି ପାଇଛି । ଅନ୍ତୋଦୟ ସିଦ୍ଧାନ୍ତର ମାର୍ଗ ଦର୍ଶନରେ ସମାଜର ଗରିବ ଓ ବଂଚିତଙ୍କୁ ବିକାଶ ଯାତ୍ରାରେ ସାମିଲ କରାଇବା ଲକ୍ଷ୍ୟ ରଖି ମୋଦି ସରକାର ଗତ ୮ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରିଆସୁଛନ୍ତି । ଆତ୍ମନିର୍ଭର ଭାରତର ଯାତ୍ରା, ସଂକଳ୍ପରୁ ସିଦ୍ଧିର ଯାତ୍ରା ଏବଂ ବିଶ୍ୱଗୁରୁ ହେବା ପାଇଁ ଭାରତବର୍ଷର ଯାତ୍ରା ଆରମ୍ଭ ହୋଇସାରିଛି ବୋଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗଠାରେ ଯୁବମୋର୍ଚ୍ଚା ତରଫରୁ ଅନୁଷ୍ଠିତ ବିକାଶ ତୀର୍ଥ ରାଲିରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ମୋଦିି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ଏବଂ ହିତାଧିକାରୀମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ରାଜ୍ୟବ୍ୟାପୀ ବିକାଶ ତୀର୍ଥ ରାଲି ଅନୁଷ୍ଠିତ ହୋଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛଭାରତ ଯୋଜନା, ହର୍ ଘର୍ ନଲ୍ ପେ ଜଲ୍ ଯୋଜନା, ପିଏମ ଉଜ୍ଜ୍ୱଳା ଯୋଜନା, ସୈାଭାଗ୍ୟ (ଉଜାଲା) ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ପିଏମ କିଷାନ ସମ୍ମାନ ନିଧି ଯୋଜନା, ପିଏମ କୃଷି ସିଂଚାଇ ଯୋଜନା, ପିଏମ୍ ଫସଲ ବୀମା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ପିଏମ୍ ମୁଦ୍ରା ଯୋଜନା, ପିଏମ୍ ଜନଧନ ଯୋଜନା ଭଳି ଅନେକ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବା ସହିତ ସଫଳ ଭାବେ କାର୍ଯ୍ୟାନ୍ୱୟନ କରାଯାଇଛି । ଏସଏଚଜି, ବେଟି ବଚାଓ-ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା, ପିଏମ୍ ସମର୍ଥ ଯୋଜନା, ମାତୃ ବନ୍ଦନା ଯୋଜନା ଜରିଆରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ପ୍ରତ୍ୟେକ ଗ୍ରାମକୁ ଇଂଟରନେଟ୍, ଜନ ସହାୟତା କେନ୍ଦ୍ର, ପକ୍କା ସଡ଼କ, ରକ୍ଷା, ମହାକାଶ କ୍ଷେତ୍ରରେ ଭାରତ ବର୍ଷ ଆଜି ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି । ନୂତନ ଭାରତ ଗଠନ ପଥେ ଦୃତ ଗତିରେ ଅଗ୍ରସର ହେଉଥିବା ଭାରତ ବର୍ଷ ଆଜି ଷ୍ଟାର୍ଟ ଅପ୍ ଏବଂ ୟୁନିକର୍ଣ୍ଣ ହବ୍ ଭାବେ ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶିକ୍ଷାଠୁ ଆରମ୍ଭ କରି ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଧାନମନ୍ତ୍ରୀ କୈାଶଳ ବିକାଶ ଯୋଜନାରେ ଛାତ୍ରଛାତୀ ଓ ଯୁବକଯୁବତୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ‘ଏକ୍ ଭାରତ – ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅଧିନରେ ଖାଦ୍ୟ ଉତ୍ସବ, ସାଂସ୍କୃତିକ ବିନିମୟ, ଯୁବ ଉତ୍ସବ, ଶୈକ୍ଷିକ ବିନିମୟ, କ୍ରୀଡା କାର୍ଯ୍ୟକ୍ରମ, ପର୍ଯ୍ୟଟନ ବିନିମୟ, ଭାଷା ଶିକ୍ଷା, ବହି ଅନୁବାଦ ଭଳି ଅନେକ କାର୍ଯ୍ୟକ୍ରମ ଜରିଆରେ ଦେଶର ବିବିଧତା ମଧ୍ୟରେ ଏକତାକୁ ପାଳନ କରାଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଓଡିଶାରେ ପୁରୀ, ବାରିପଦା, ସୁନ୍ଦରଗଡ, ବଲାଙ୍ଗୀର, କୋରାପୁଟ, ତାଳଚେର ଏବଂ ବାଲେଶ୍ୱରରେ ଏମ୍ସ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଓଡିଶାରେ ୫୮୯୭ କିମିର ନୂତନ ରାଜପଥ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାର ସହରାଂଚଳରେ ୨.୧୩ ଲକ୍ଷ ଏବଂ ଗ୍ରାମାଂଚଳରେ ୨୬ ଲକ୍ଷ ବାସଗୃହ ଆବଂଟିତ ହୋଇଛି । ସ୍ୱଚ୍ଛଭାରତ ଯୋଜନାରେ ଓଡିଶାରେ ୭୧ ଲକ୍ଷ ଶୈାଚାଳୟ, ହର୍ ଘର୍ ନଲ୍ ପେ ଜଲ୍ ଯୋଜନାରେ ଓଡ଼ିଶାରେ ୪୧ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି । ପିଏମ୍ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୫୨.୩୫ ଲକ୍ଷ ଘରକୁ ରୋଷେଇ ଗ୍ୟାସ ସଂଯୋଗୀକରଣ କରାଯାଇଛି । ସୈାଭାଗ୍ୟ (ଉଜ୍ଜ୍ୱଳା) ଯୋଜନାରେ ଓଡ଼ିଶାରେ ୫.୨୩ କୋଟି ଏଲଇଡି ବଲ୍ ବିତରଣ ହୋଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗତ ୨ ବର୍ଷରେ (କରୋନା ମହାମାରୀ ସଂକଟ) ଓଡ଼ିଶାରେ ୩.୨୪ କୋଟି ହିତାଧିକାରୀଙ୍କୁ ମାଗଣା ରାସନ (ଚାଉଳ, ଗହମ, ଡାଲି) ପ୍ରଦାନ କରାଯାଇଛି । ସେହିଭଳି କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାରେ ୪୦.୫୪ ଲକ୍ଷ କୃଷକ ପରିବାରକୁ ୭୦୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଭାରତବର୍ଷକୁ ବିଶ୍ୱଗୁରୁ ରୂପରେ ପୁନଃସ୍ଥାପିତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସାକାର କରିବା ପାଇଁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ।