ଆରୁଖ ନୂଆ ବାଚସ୍ପତି

ଭୁବନେଶ୍ୱର  : ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଆଜି ଅନୁଷ୍ଠିତ ହୋଇଛି। ଏହି ସ୍ବତନ୍ତ୍ର ଅଧିବେଶନରେ ବିକ୍ରମ କେଶରୀ ଆରୁଖ ୨୪ତମ ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ପୂର୍ବାହ୍ନରେ ବିଧାନସଭାର ସ୍ବତନ୍ତ୍ର ବୈଠକ ଲାଗି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ସମନ କରାଯାଇଥିଲା। ଆଜି ପୂର୍ବାହ୍ନରେ ଏହି ବାଚସ୍ପତି ଭୋଟ୍‌ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗୃହରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏକ ମୋଶନ ଆଣିଥିଲେ। ବାଚସ୍ପତି ପାଇଁ ଆରୁଖଙ୍କ ନାମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଏହାକୁ ଗ୍ରହଣ କରିଥିଲେ।ଅନ୍ୟପକ୍ଷରେ ଆରୁଖଙ୍କୁ ଏହି ପଦବୀ ମିଳିବା ପରେ ସେ କହିଛନ୍ତି, ପଦମର୍ଯ୍ୟାଦା ରକ୍ଷା ସହ ଗୃହ ସୁପରିଚାଳନା କରିବାକୁ ପ୍ରୟାସ କରିବି। ଏଥିସହ ସେ ସମସ୍ତ ଶାସକ ଓ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।୧୯୯୫ରୁ ଲଗାତର ଭାବେ ୬ ଥର ସେ ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ୨୦୦୮ରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା। ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ।

Spread the love