ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ଏବେଠୁ ପୁରୀରେ ପ୍ରବଳ ଭିଡ

ପୁରୀ ୧୩।୦୬ : ଏବେଠୁ ଏତେ ଭିଡ଼। ଏବେଠୁ ଅଣାୟତ ହୋଇପଡ଼ିଲାଣି ଭିଡ଼। ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ଲୋକାରଣ୍ୟ ହେବ ଶ୍ରୀକ୍ଷେତ୍ର ଧାମ। ତେଣୁ ଭିଡ଼କୁ କିଭଳି ନିୟନ୍ତ୍ରଣ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ। ଭିଡ଼ ନିୟନ୍ତ୍ରଣ ହୋଇଛି ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।

ତେବେ ରବିବାର ଦିନସାରା ଲାଗିରହିଥିଲା ଭକ୍ତଙ୍କ ଭିଡ଼। ଭିଡ଼ ଏଭଳି ହୋଇଥିଲା ଯେ, ଠେଲାପେଲା ହେବାରୁ ୧୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ବାହୁଟ କଣ୍ଟ ସରିଥିବା ବେଳେ ଆଜି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେଉଛି। ଆଜି ଦଇତାପତିମାନଙ୍କ ଦ୍ବାରା ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ସେନାପଟା ଲାଗି କରାଯିବ। ସେନାପଟା ଲାଗି ନୀତି ପାଇଁ ଆଜି ଦିନ ୩ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସେପଟେ କୋଠ ସୁଆସିଆ ମାନେ ଚାରମାଳ ବାନ୍ଧିଛନ୍ତି। ଘୋଷଯାତ୍ରା ନୀତି ପାଇଁ ରବିବାରଠୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ ଦଇତାପତି। ଆଜି ସେନାପଟା ଲାଗି ସମ୍ପାଦନା କରିବେ । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ଯାତ୍ରା ହେଉଥିବାରୁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଆସନ୍ତାକାଲି ସ୍ନାନଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି, ତେଣୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥାକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।

Spread the love