କଲାମ ଘାଟି ନିକଟରେ ମାଛଧରା ବୋଟ ଦୁର୍ଘଟଣାଗ୍ରସ୍ତ

ଧାମରା  : ଧାମରା ନିକଟସ୍ଥ କଲାମ ଘାଟି ନିକଟରେ ଏକ ବୋଟ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିବା ଜଣାଯାଇଛି। ଏହି ବୋଟରେ ଚାଳକଙ୍କ ସମେତ ଥିବା ୧୩ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯିବାକୁ ପ୍ରୟାସ ଜାରି ରହିଛି। ଖବରରୁ ପ୍ରକାଶ; ଗତ ୧୫ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଘାଟରୁ ଉପାସନା-୧ ନାମକ ଟ୍ରଲରଟି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲା। ୧୬ତାରିଖ ଦିନ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ସହ ଗଭୀର ସମୁଦ୍ରରେ ବୋଟଟି ବୁଡ଼ିଯାଇଥିଲା। ଏହି ଖବର ଅନ୍ୟ ମାଛଧରା ବୋଟରୁ ମିଳିବା ପରେ ବୁଡ଼ିଯାଇଥିବା ବୋଟ ଉପାସନା-୧ର ମାଲିକ ଅମଲ ପ୍ରଧାନ ଧାମରା ସାମୁଦ୍ରିକ ଥାନା, ତାଳଚୁଆ ସାମୁଦ୍ରିକ ଥାନା, ଧାମରା ମତ୍ସ୍ୟଜୀବୀ ସଂଘ ଓ ପାରାଦ୍ୱୀପ ମତ୍ସ୍ୟଜୀବୀ ସଂଘ ସହ ଯୋଗାଯୋଗ କରିଥିଲେ। ଧାମରା ଓ ତାଳଚୁଆ ସାମୁଦ୍ରିକ ଥାନା କର୍ମଚାରୀ ନିଜ ନିଜର ସ୍ପିଡ଼ ବୋଟ ନେଇ ଖୋଜାଖୋଜି କରିବା ପରେ ୧୨ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତେବେ ସମୁଦ୍ରର ଜିରୋ ପଏଣ୍ଟ(ଗଭୀର ସମୁଦ୍ର)କୁ ଯାଇ ଖୋଜିବା ଏହି ୨ଟି ବୋଟ ପକ୍ଷରେ ସମ୍ଭବ ହୋଇପାରି ନ ଥିଲା। ପରେ ପାରାଦ୍ୱୀପ କୋଷ୍ଟଗାର୍ଡ ଜାହାଜ ଆସି ଏହି ବୋଟକୁ ଖୋଜିବା ସହ ଅନ୍ୟ ଜଣେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଥିବା ତାଳଚୁଆ ସାମୁଦ୍ରିକ ଥାନା ଥାନାଧିକାରୀଙ୍କ ନିକଟରୁ ପ୍ରକାଶ। ଉଦ୍ଧାର ହୋଇଥିବା ୧୨ଜଣ ମତ୍ସ୍ୟଜୀବୀଙ୍କୁ ରାଜନଗର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ନିଖୋଜ ମତ୍ସ୍ୟଜୀବୀ କେନ୍ଦ୍ରାପଡ଼ା ତାଳଚୁଆ ପତାପାରିଆର ରାଧାନାଥ ଭୂଆଁ(୩୮) ବୋଲି ସୂଚନା ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ମାଛ ଧରିବାକୁ ଯାଉଥିବା ବୋଟ ଦୁର୍ଘଟଣା ଘଟିଲେ କେଉଁ କେଉଁ ନମ୍ବରକୁ ତୁରନ୍ତ ଫୋନ କଲେ ସୁରକ୍ଷା ମିଳିପାରିବ ସେ ନେଇ କୌଣସି ବୋଟ କର୍ମଚାରୀଙ୍କ ସମ୍ୟକ ଧାରଣା ନ ଥିବା ଜଣାଯାଇଛି। ଫଳରେ ଗଭୀର ସମୁଦ୍ରରେ ଦିନକୁ ଦିନ ଦୁର୍ଘଟଣା ଘଟୁଛି। ତେଣୁ ମତ୍ସ୍ୟଜୀବୀଙ୍କୁ କିପରି ଏହି ଦୁର୍ଘଟଣାରୁ ତୁରନ୍ତ ରକ୍ଷା କରାଯାଇପାରିବ ସେ ନେଇ ପ୍ରଶାସନ ସହାୟକ ଦେୟମୁକ୍ତ ନଂ ଜାରି କରିବା ସହ ସେମାନଙ୍କୁ ତାଲିମ ଦେବାକୁ ଦାବି ହୋଇଛି।

Spread the love