ସମୟରେ ସରିଲାନି +୨ ମୂଲ୍ୟାୟନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ମୂଲ୍ୟାୟନ ବହୁଳ ଭାବେ ପ୍ରଭାବିତ ହୋଇଛି। ପ୍ରଥମେ ଅଧ୍ୟାପକଙ୍କ ଅନୁପସ୍ଥିତି ଯୋଗୁଁ ମୂଲ୍ୟାୟନ ପ୍ରଭାବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଘରୋଇ ମୂଲ୍ୟାୟନ ସଂସ୍ଥାର ଅବହେଳା ପରିଷଦର ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୂଲ୍ୟାୟନ ପାଇଁ ଆବଶ୍ୟକ ବ୍ୟବସ୍ଥା ସଂପୃକ୍ତ ସଂସ୍ଥା କରି ନ ଥିବାରୁ ଏଭଳି ପରିସ୍ଥିିତି ସୃଷ୍ଟି ହୋଇଛି। ୧୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ଇ-ମୂଲ୍ୟାୟନ ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥାକୁ ତାଗିଦ କରାଯାଇଛି। ଖାତାଦେଖାରେ ବିଳମ୍ବ କଲେ ଅର୍ଥ କାଟ କରିବାକୁ ଉକ୍ତ ଘରୋଇ ସଂସ୍ଥାକୁ ଚେତାବନୀ ଦିଆଯିବା ସହ ଦୁଇ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ସାରିବାକୁ କଡ଼ା ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ % ଅଧ୍ୟାପକ ଖାତାଦେଖାରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ମୂଲ୍ୟାୟନ କେନ୍ଦ୍ରର ତାଲିକାକୁ ଏକତ୍ର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ପରିଷଦ ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ ଚଳିତ ମାସ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ୧୨ରେ ସାରିବା ସହ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଜୁନ୍‌ ୧୩ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଇ-ମୂଲ୍ୟାୟନ ଖାତା ସ୍କାନ ପରେ ଅନ୍‌ଲାଇନ୍‌ରେ ହେବାକୁ ଥିବା ମାନ ଯାଞ୍ଚ ସହ ଅନ୍ୟ ବ୍ୟବସ୍ଥା ଠିକ୍‌ ଭାବେ କରୁ ନାହିଁ ଉକ୍ତ ସଂସ୍ଥା। ସେଥିଯୋଗୁଁ ମୂଲ୍ୟାୟନ ବହୁଳ ଭାବେ ପ୍ରଭାବିତ ହେଉଛି। ମୂଲ୍ୟାୟନ ବିଳମ୍ବ ହେଲେ ଫଳ ପ୍ରକାଶ ବିଳମ୍ବ ହେବାର ଆଶଙ୍କା ଥିବାରୁ ଉକ୍ତ ଘରୋଇ ସଂସ୍ଥାକୁ କଡ଼ା ଚେତାବନୀ ଦେଇଛି ପରିଷଦ। ଆଗାମୀ ଦିନରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ସହ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଖାତାଦେଖା ସମୟରେ ଉତ୍ତରଖାତା ପିଛା ୧୦ ଟଙ୍କାରୁ ୧୪ଟଙ୍କା ଦିଆଯାଉଥିବା ବେଳେ ଇ-ମୂଲ୍ୟାୟନ ପାଇଁ ଖାତାପିଛା ୫୦ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ଅଧିକ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ମୂଲ୍ୟାୟନରେ ବିଳମ୍ବକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ପରିଷଦ ଚେତାବନୀ ଦେଇ କାମ ସାରୁଥିବାବେଳେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇ-ମୂଲ୍ୟାୟନରେ ବିଳମ୍ବ ଯୋଗୁଁ ପ୍ରାୟ ୭ ଦିନ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ବିଳମ୍ବ ହୋଇଛି।
ଚଳିତବର୍ଷ ୪ଟି ଜୋନ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲ ଜୋନରେ ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ର ଏବଂ କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ୬୪ଟି ଅଫ୍‌ଲାଇନ୍ କେନ୍ଦ୍ରରେ ଖାତା ଦେଖାଯାଉଛି। ଇ-ମୂଲ୍ୟାୟନ ପାଇଁ ୨ଟି ସିଫ୍ଟ ଯଥା ସକାଳ ୭ଟା ୩୦ରୁ ୧୨ଟା ୩୦ ଏବଂ ଦିନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖାତାଦେଖା ଯାଉଛି। ପ୍ରଥମ ପର୍ଯ୍ୟାୟ ଅଫଲାଇନ୍‌ ମୂଲ୍ୟାୟନ ପ୍ରକ୍ରିୟା ସରିଥିବାବେଳେ ଅଳ୍ପ କେତୋଟି କେନ୍ଦ୍ରରେ ବାକି ରହିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଇ-ମୂଲ୍ୟାୟନ ଚାଲିବ। ଆସନ୍ତାକାଲିଠାରୁ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ସମସ୍ତ କେନ୍ଦ୍ରରେ ଆରମ୍ଭ ହେବ। କାଲିଠାରୁ ପାରମ୍ପରିକ ଖାତା ଦେଖାଯିବ। ତେବେ ଇ-ମୂଲ୍ୟାୟନ ପାଇଁ ଅଧ୍ୟାପକଙ୍କୁ ଆସନ୍ତାକାଲି ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ସରିବା ପରେ ୨୨ରୁ ଇ-ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଆଳ ଦେଖାଇ ପ୍ରାୟ ହଜାରରୁ ଊର୍ଦ୍ଧ୍ବ ଅଧ୍ୟାପକ ମୂଲ୍ୟାୟନରେ ଭାଗ ନେଇନାହାନ୍ତି। ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ଅନୁପସ୍ଥିତ ଅଧ୍ୟାପକଙ୍କ ତାଲିକା ମଗାଯାଇଥିବାବେଳେ କିଛି କେନ୍ଦ୍ରରୁ ରିପୋର୍ଟ ଆସିନି। ଉକ୍ତ କେନ୍ଦ୍ରକୁ ପୁନର୍ବାର ରିପୋର୍ଟ ମଗାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଯେଭଳି ସମସ୍ତ ଅଧ୍ୟାପକ କାର୍ଯ୍ୟରେ ଯୋଗଦେବେ ସେନେଇ କେନ୍ଦ୍ର ଅଧିକ୍ଷକଙ୍କୁ କୁହାଯାଇଛି। ଯେଉଁ ଅଧ୍ୟାପକ ଖାତା ଦେଖାରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ଦରମା ବନ୍ଦ କରିବାକୁ ବିଭାଗ ପକ୍ଷରୁ ଚିନ୍ତନ କରାଯାଉଛି।ଚଳିତ ମାସ ସୁଦ୍ଧା ମୂଲ୍ୟାୟନ ସାରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଦୁଇ ପର୍ଯ୍ୟାୟରେ ମୂଲ୍ୟାୟନ କାର୍ଯ୍ୟରେ ପରିଷଦ ପକ୍ଷରୁ ମୋଟ ୧୫ ହଜାର ୬୦୦ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ରାଜ୍ୟର ଏବେ ୧୧୩୩ ପରୀକ୍ଷା କେନ୍ଦ୍ରରେ +୨ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ‌େ‌ର ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଥିଲେ।

Spread the love