କାଳିଆ ଯୋଜନାରେ ହିତାଧିକାରୀ ତାଲିକାର ତଦନ୍ତ ନିରପେକ୍ଷ ଯାଂଚ ଏଜେନ୍ସୀ ଦ୍ୱାରା କରାଯାଉ :ବିଜେପି

ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା । ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରୁଛି ଶାସକ ବିଜେଡି । ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ବଂଟନ କରି ପରେ ସେମାନଙ୍କୁ ଜେଲ୍ ପଠାଇବା ଭଳି ଏବେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଟଙ୍କା ଆଦାୟ କରିବା ପାଇଁ ଉଦ୍ୟମ କରୁଛି । ଯୋଗ୍ୟ ଚାଷୀ ପରିବାର ବି ଆଶଙ୍କା ଭିତରେ ରହିଛି କାଳେ ତାଙ୍କୁ ଅଯୋଗ୍ୟ ଘୋଷଣା କରି ଅର୍ଥ ଆଦାୟ କରାଯିବ ନଚେତ୍ ଜେଲ୍ ପଠାଯିବ । ଖୋଦ୍ ବିଭାଗୀୟ ମନ୍ତ୍ରୀ ଏହି ଯୋଜନାରେ ଦୁର୍ନୀତି ହୋଇଛି ବୋଲି ସ୍ୱୀକାର କରିବା ପରେ ଦଳର ମୁଖପାତ୍ର ଏହାକୁ ନେଇ ଭିନ୍ନ ମତ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, “ଯୋଗ୍ୟକୁ ନଦେବା ଅଯୋଗ୍ୟକୁ ଅଯାଚିତ ଭାବରେ ଦେବା” ର ଅନ୍ୟନାମ ହେଉଛି ଓଡିଶା ସରକାରଙ୍କ କାଳିଆ ଯୋଜନା । କାଳିଆ ଯୋଜନା ହେଉଛି ଧୁଆଁବାଣ । ଏହି ଯୋଜନାରେ ହୋଇଥିବା ମହାଘୋଟାଲାର ପର୍ଦ୍ଦାଫାଶ ହେବା ଦରକାର । କାଳିଆ ଯୋଜନାରେ ହିତାଧିକାରୀ ତାଲିକାର ତଦନ୍ତ ଏକ ନିରପେକ୍ଷ ଯାଂଚ ଏଜେନ୍ସୀ ଦ୍ୱାରା କରିବା ସହ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରି ରାଜ୍ୟ ରାଜକୋଷରୁ ୧୭୦ କୋଟି ଟଙ୍କା ଅପବ୍ୟୟ କରିଥିବା ବିଭାଗୀୟ ମନ୍ତ୍ରୀ ଓ ସରକାରୀ ଅଫିସରମାନଙ୍କ ସମେତ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଆକାଉଂଟରୁ ବଳକା ଅର୍ଥ ଆଦାୟ କରାଯାଉ । କାଳିଆ ଯୋଜନାର ହିତାଧିକାରୀଙ୍କ ଯାଂଚ ପ୍ରକ୍ରିୟା ଶେଷ ହେବା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ କି, “କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି । ସରକାର ସେମାନଙ୍କଠାରୁ ପଇସା ଫେରାଇବେ ”ା ହେଲେ ଗତକାଲି କୃଷି ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି କହିଲେ ଯେ ୩୨ ହଜାର ହେଉଛନ୍ତି ଅଯୋଗ୍ୟ । ତାହେଲେ କିଏ ସତ ? କୃଷି ମନ୍ତ୍ରୀ ସତ ନା କୃଷି ବିଭାଗ କଥା ସତ । ବିଜେଡି ବିଧାୟକ ପ୍ରତାପ ଦେବ କହିଲେ ୩୨ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ଅରୁଣଙ୍କ ଅଯୋଗ୍ୟ ସଂଖ୍ୟା ହେଉଛନ୍ତି ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଓ ପ୍ରତାପଙ୍କ ଅଯୋଗ୍ୟ ତାଲିକା ହେଉଛି ୩୨ ହଜାର । ତାହେଲେ ଅଯୋଗ୍ୟ ହିତାଧିକାରୀଙ୍କ ମାପଦଣ୍ଡ କଣ ଏବଂ ଏଠି କିଏ ସତ କହୁଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରି ମାନଙ୍କୁ ହିତାଧିକାରି ତାଲିକାରେ କିଏ ସାମିଲ କଲା ? ଏଥିପାଇଁ ଦାୟୀ କିଏ ? କାଳିଆ ଯୋଜନା ଲାଗି ସବୁ ବାହାଦୁରୀ ନବିନ ବାବୁ ନେଇଥିଲେ । ଯୋଜନା ଘୋଷଣା କରିବାଠୁ ଆରମ୍ଭ କରି ସମସ୍ତ ବିଜ୍ଞାପନରେ ତାଙ୍କର ଫଟୋ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଏବେ ଏହି ସ୍କାମ ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ । ବିନା ବଜେଟରେ ବିନା ଚାଷୀ ତାଲିକାରେ ଠିକ୍ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ କଂଟିଜେନ୍ସୀ ଫଣ୍ଡରୁ ଅର୍ଥ ଆଣି ବଂଟାଯାଇଥିଲା । ଆଗରୁ କାଳିଆ ଯୋଜନାରେ ମନ୍ତ୍ରୀ ସୁଶାନ୍ତ ସିଂ, ବିକ୍ରମ ଆରୁଖ, ପ୍ରଦୀପ ମହାରଥି, ନିରଂଜନ ପୁଜାରିଙ୍କ ସର୍ମ୍ପକୀୟମାନେ ଏହି ଯୋଜନାରେ ଅର୍ଥ ପାଇଥିଲେ, ଏକଥା କାଳିଆ ଯୋଜନାର ୱେବସାଇଟରେ ବି ଉପଲବ୍ଧ ଥିଲା ।

ସେମାନଙ୍କ ନାଁ ସବୁ ଏବେ ଅଯୋଗ୍ୟ ହିତାଧିକାରି ତାଲିକାରେ ଅଛି କି ନାହିଁ ତାହା ସରକାର ସ୍ପଷ୍ଟ କରନ୍ତୁ । ପ୍ରଥମେ ୨୦ ଲକ୍ଷ କୃଷକ ପରିଚୟ ପତ୍ର ଥିବା ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା । ରାଜ୍ୟସରକାରଙ୍କ ପାଖରେ ଚାଷୀଙ୍କ ତାଲିକା ନଥିବା ସତ୍ୱେ ନିର୍ବାଚନକୁ ଦୃଷ୍ଟିରେ ରଖି ୫୧ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ । ଏବେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ନିରପେକ୍ଷ ତଦନ୍ତ ହେଲେ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଅଯୋଗ୍ୟ ହିତାଧିକାରୀ ବାହାରିବେ । ନିଜ ତ୍ରୁଟିକୁ ଲୁଚାଇ ଚାଷୀଙ୍କ ଉପରେ ରାଜ୍ୟସରକାର ଆକ୍ରୋଶ ମୂଳକ ଭାବେ ପଦକ୍ଷେପ ନେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love