ଷ୍ଟାଫ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା , ୪୮ ଘଂଟା ଭିତରେ ଅପରାଧୀ ଏବଂ ତାର ସହହେଯାଗୀଙ୍କୁ ଗିରଫ କରାଯାଉ : ମହିଳାମୋର୍ଚ୍ଚା

ରାଜ୍ୟରେ ନାବାଳିକାଠୁ ଆରମ୍ଭ କରି ମହିଳା ସବୁ ସ୍ଥାନରେ ଅସୁରକ୍ଷିତ, ଅସମ୍ମାନିତ, ନିଷ୍ପେଷିତ, ଅପମାନିତ, ଲାଂଛିତ । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗଣଦୁଷ୍କର୍ମ, ନାବାଳିକା ଗର୍ଭବତୀ, ଦୁଷ୍କର୍ମ ସହ ହତ୍ୟା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ରାଜ୍ୟସରକାର ଦୋଷୀଙ୍କୁ ଧରିବାରେ ପୂରା ଫେଲ୍ ମାରିଛନ୍ତି । ଗୃହ ବିଭାଗ ଓ ପୋଲିସ ପ୍ରଶାସନ ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ପୂରା ଅପାରଙ୍ଗମ । ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର ଗତ ୧୦ ଦିନ ତଳୁ ନିଖୋଜ ହେବା ଏବଂ ତାଙ୍କ ମୃତ ଦେହ ବିରିଡି ଥାନା ବିଲୁଆଖାଇ ନଦୀ ପଠାରୁ ମିଳିବା ପରେ ପୋଲିସ ଅପରାଧୀକୁ ଧରି ନପାରିବା ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ମୃତ ନିହାରିକାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହା ସହ ପ୍ରତିନିଧୀ ଦଳ ବିଲୁଆ ଖାଇ ନଦୀ ପଠା, ମୃତ ନିହାରିକା କାର୍ଯ୍ୟକରୁଥିବା ନର୍ସିଂହୋମରେ ପହଂଚି ଘଟଣାର ସରଜମିନ ତଦନ୍ତ କରିଛନ୍ତି । ପରେ ପୋଲିସ ଡିଜିଙ୍କୁ ଘେଟି ଘଟଣା ସଂର୍ପକରେ ଅବଗତ କରାଇବା ସହ ୪୮ ଘଂଟା ଭିତରେ ଅପରାଧୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପୋଲିସ ଅତିରିକ୍ତ ଡିଜି ଘଟଣାକୁ ଗୁରୁତର ସହ ନେଇ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିନିଧୀ ଦଳ ଆଗରେ ପ୍ରତିଶୃତି ଦେଇଛନ୍ତି ।  ପୋଲିସ ଯଦି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିଥାନ୍ତା ଆଜି ହୁଏତ ନିରୀହ ଝିଅଟିର ଜୀବନ ବଂଚିଯାଇଥାନ୍ତା ।

ଅନ୍ୟପଟେ ନିହାରିକା ଏକମାତ୍ର ରୋଜଗାରକ୍ଷମ ଥିବାରୁ ପୂରା ପରିବାରର ଭରଣପୋଷଣ ଦାୟୀତ୍ୱ ତା ଉପରେ ନିର୍ଭର କରୁଥିଲା । ରାଜ୍ୟସରକାର ୫ଟି ଲଗାଇ ଅପରାଧୀକୁ ଧରନ୍ତୁ । ମୃତ ନିହାରିକା ପରିବାରକୁ ନ୍ୟାୟ ନମିଳିଲେ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି  ପରିଡା ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି । ଓଡିଶାରେ ମହିଳା ଅସୁରକ୍ଷିତ ହୋଇଥିବା ସମୟରେ ଗୃହବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । କୁନ୍ଦୁଲୀ, ବେବିନା, ଇତିଶ୍ରୀ, ମାଧବିଲତା ଭଳି ନିହାରିକା ଆଜି ବଳି ପଡିଛି । ରାଜ୍ୟସରକାର ଶିକ୍ଷିତ ଝିଅକୁ ବି ସୁରକ୍ଷା ଦେଇପାରିଲେ ନାହିଁ । ମହିଳାମାନଙ୍କ ସୁରକ୍ଷା ପାଇଁ କଠୋର ଆଇନ କେବେ ପ୍ରଣୟନ କରିବେ ରାଜ୍ୟସରକାର ? ବିଳୁଆଖାଇ ନଦୀ ପଠାରେ ୪୦ ବର୍ଷ ତଳେ ଯେପରି ଛବିରାଣୀକୁ ଦୁର୍ଷ୍କମ କରି ହତ୍ୟା କରାଯାଇଥିଲା, ପୁଣି ଆଜି ସେହି ଘଟଣାର ପୁନରାବୃତି ହୋଇଛି । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡରେ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ଘଟଣାକୁ ନିନ୍ଦା କଲେ ନାହିଁ କି ପଦଟିଏ ମହିଳାମାନଙ୍କ ସୁରକ୍ଷା ଉପରେ ପଦଟିଏ କହିଲେ ନାହିଁ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ମହିଳା କମିଶନ ବି ଏହି ଘଟଣାରେ ଚୁପ୍ ବସିଛନ୍ତି l ତୁରନ୍ତ ପୋଲିସ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଗିରଫ କରି ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି । ଟ୍ରାଫିକ ସୁରକ୍ଷା ନିୟମ ଯେପରି ପାଳନ କରାଯାଉଛି ଠିକ୍ ସେହିପରି ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ଅଂଟା ଭିଡିବା ଦରକାର । ଓଭରଟେଂକିକୁ ଚେକ୍ କରିବା ପାଇଁ ରାଜ୍ୟସରକାର ଡ୍ରୋନ କ୍ୟାମେରା ଉଡାଇବା କଥା କହୁଛନ୍ତି । କିନ୍ତୁ ମହିଳାମାନଙ୍କୁ ସୁରକ୍ଷା ଦେବା ଏବଂ ମହିଳା ବିରୋଧୀ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ବି ପୋଲିସ ପ୍ରଶାସନ ଡ୍ରୋନ ଲଗାନ୍ତୁ ବୋଲି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି । ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ଗତ ୯ ବର୍ଷ ମଧ୍ୟରେ ୧୨,୬୮୩ଟି ହତ୍ୟାକାଣ୍ଡ ଓ ୧୬,୫୯୧ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ୨୦୧୦ରୁ ୨୦୧୮ ଅର୍ଥାତ୍ ୯ ବର୍ଷର ରିପୋର୍ଟରେ ଏଭଳି ସମ୍ବେଦନଶୀଳ ଅପରାଧ ଜନିତ ୬୫ ପ୍ରତିଶତ ମାମଲା କ୍ଷେତ୍ରରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବା ଓ ପ୍ରମାଣ ଯୋଗାଡ କରିବାରେ ବ୍ୟର୍ଥ ହୋଇଛି । ଫଳରେ ଅପରାଧୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି । ଦୁର୍ଷ୍କମ ମାମଲାରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତରୁ କମ୍ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି, ଗୃହ ବିଭାଗ ଓ ପୋଲିସ ପ୍ରଶାସନ ଦୁର୍ଷ୍କମ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି । ଶାସକ ଦଳର ପୃଷ୍ଠ ପୋଷକତାରେ ରାଜ୍ୟରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ଅନ୍ୟପଟେ ପୁଲିସ୍ ପ୍ରାଥମିକ ତଦନ୍ତ କରିବାରେ ଅହେତୁକ ବିଳମ୍ବ ଓ ଚାର୍ଜସିଟ୍ ଦାଖଲରେ ଢିଲାପଣ ଯୋଗୁ ଅପରାଧୀମାନେ ଖସି ଯାଉଛନ୍ତି ।

ଏହିପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ପ୍ରତିଭା ଶତପଥୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଆସ୍କା ବିଜେପି ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶିନୀ, ସଂପାଦିକା ରଶ୍ମିରେଖା ଦାସ, ଐଶ୍ୱର୍ଯ୍ୟା ବିଶ୍ୱାଳ, କିଷ୍ଣା ମହାନ୍ତି, ଯାଜ୍ଞସେନୀ ଜେନା, ସୋସିଆଲ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ରଙ୍କ ସମେତ ସ୍ଥାନୀୟ ମହିଳା କାର୍ଯ୍ୟକର୍ତା ପ୍ରମୁଖ ସାମିଲ ଥିଲେ ।

Spread the love