ବିଜେଡି-ବିଜେପି ମେଣ୍ଟରେ ଲଢିବେ ନା ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ ହେବ

ବିଜେଡି-ବିଜେପି ମେଣ୍ଟରେ ଲଢିବେ ନା ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ ହେବ । ଉଭୟ ବନ୍ଧୁତ୍ୱପୂର୍ଣ୍ଣ ନିର୍ବାଚନ ଲଢିବେ କି । ନିର୍ବାଚନ ବେଳେ ଉଭୟ ଦଳ ମଧ୍ୟରେ ଯେଭଳି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ପରସ୍ପର ପରସ୍ପର ବିରୋଧରେ ଯେ କୌଣସି ସ୍ତରକୁ ଯାଇ ପ୍ରଚାର କରୁଥିଲେ, ସେମିତି ହେବ ।

ଆସନ୍ତା ଅକ୍ଟୋବର ୨୧ ତାରିଖ ଦିନ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ଜାତୀୟ ନିର୍ବାଚନ କମିସନଙ୍କ ଘୋଷଣା ପରେ ଏଭଳି ପୁଳା ପୁଳା ପ୍ରଶ୍ନ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆନ୍ଦୋଳିତ କରୁଛି । ଏସବୁ ପ୍ରଶ୍ନ ଏଇଥିପାଇଁ ଆଲୋଚନାର ବିଷୟ ହୋଇଛି, କାରଣ ସାଧାରଣ ନିର୍ବାଚନ ସରିବାର ଠିକ୍‍ ପରେ ପରେ ଉଭୟ ବିଜେଡି-ବିଜେପି ପରସ୍ପର ଅତି ନିକଟତର ହୋଇଛନ୍ତି। ରାଜ୍ୟ ସ୍ୱାର୍ଥକୁ ଆଳ କରି ଉଭୟ ଦଳ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଛନ୍ତି ।

ଗତ ତିନି ବର୍ଷ ଧରି ବିଜେପି ଯେଭଳି କଥା କଥାକେ ବିଜେଡିକୁ ଖିଙ୍କାରୀ ଗୋଡାଉଥିଲା, ଆଉ ସେଭଳି ଆଚରଣ ବା ନେତାଙ୍କ ଉଚ୍ଚାରଣରେ ଦେଖିବାକୁ ମିଳୁନାହିଁ । କେନ୍ଦ୍ରୀୟ ପ୍ରସଙ୍ଗକୁ ଆଧାର କରି ବିଜେଡି ଯେଭଳି ପ୍ରତି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଉଥିଲା, ତାହା ମଧ୍ୟ ଏବେ ଇତିହାସ ପାଲଟି ଯାଇଛି । କେନ୍ଦ୍ର ସରକାରଙ୍କ ସମସ୍ତ ବିଲ୍‍, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବିଜେଡିର ଭୂମିକା ସକାରାତ୍ମକ ରହିିଛି, ସେମିତି ବିଜେପିର ବି । ପୁରୀରେ ବିକାଶ ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ଆଧାରରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକୁଥିଲା, ସେଥିରେ ବିଜେପି ଅତି ଚତୁରତାର ସହିତ ନିଜର ଦାୟିତ୍ୱ ନିର୍ବାହ କରିଛି ।

ଏଭଳି ଏକ ସନ୍ଦେହ ପଛର ପୃଷ୍ଠଭୂମି କେବଳ ଏତିକି ନୁହେଁ । ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ଅଜାଚିତ ଭାବେ ନିଜ ଭାଗ ପ୍ରତିପକ୍ଷକୁ ଦେଇଛି । ଯେମିତି ଗତ ରାଜ୍ୟସଭା ନିର୍ବାଚନରେ ହେଲା । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ନିଜ ଭାଗରୁ ଗୋଟିଏ ଆସନ ଦେଇଦେଲା ।

ସଦ୍ୟ ସମାପ୍ତ ପାଟକୁରା ଉପନିର୍ବାଚନରେ ବିଜେଡି ଓ ବିଜେପିର ସଲାକୁସ୍ତି ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା । ବିଜେପିର ନେତାମାନେ ଯାଇଥିଲେ, ଧୂମ୍‍ ପ୍ରଚାର କଲେ । ବିଜେଡିର ବି ମୁଖିଆ ଯାଇଥିଲେ ଓ ୪ଡଜନ ସରିକି ନେତା ସେଠାରେ ଡେରା ପକାଇ ରହିଥିଲେ । ରାଜ୍ୟ ବିଜେପି ସପକ୍ଷରେ ଜନମତ ଥାଇ ସୁଦ୍ଧା ଏହି ଆସନଟି କିନ୍ତୁ ବିଜେପି ହାତକୁ ଚାଲିଗଲା । ବିଜେପିର ଶୀର୍ଷସ୍ତରର ନେତୃତ୍ୱଙ୍କ ଆକ୍ରମଣାତ୍ମକ ପ୍ରଚାର ଦେଖିବାକୁ ମିଳିଲା ନାହିଁ । ବିଜେଡିର ପ୍ରାର୍ଥୀଙ୍କୁ ସାମ୍ନାରେ ରଖି ମଧ୍ୟ ବିଜେଡି ପ୍ରଚାର କଲା ନାହିଁ । ବରଂ ଦୁଇ ପାରମ୍ପରିକ ଶତ୍ରୁ ନବୀନ ପଟ୍ଟନାୟକ ଓ ବିଜୟ ମହାପାତ୍ରଙ୍କ ଲଢେଇ ଦେଖିଲା ପାଟକୁରା ମାଟି ଓ ଓଡ଼ିଶା । ସ୍ୱାଭାବିକ ଭାବେ ନବୀନଙ୍କର ବିଜୟ ହେଲା ।

ଏଠାରେ ପ୍ରଶ୍ନ ଉଠୁଛି, ବିଜେପୁରରେ ସେଭଳି କୌଣସି ବାଧ୍ୟବାଧକତା ଉଭୟ ଦଳ ପାଖେ ନାହିଁ । ସବୁ ରାଜନୈତିକ ପ୍ରତିବନ୍ଧକକୁ ହଟାଇ ବିଜେଡି ମଇଦାନ ଖୋଲା ରଖିଛି । ବିଜେପି ନେତା ସୁବାସ ଚୌହାନଙ୍କୁ ଇତିମଧ୍ୟରେ ଦଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଥଇଥାନ କରିସାରିଲେଣି । ସେଠାରେ ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ନେଇ ନବୀନଙ୍କ ପାଖରେ ସେଭଳି କୌଣସି ଚାପ ନାହିଁ । କାରଣ ପ୍ରତିଶ୍ରୁତି ଅନୁସାରେ, ସେ ଗୋଟିଏ ଥର ତାଙ୍କୁ ପ୍ରାର୍ଥୀ କରି ବିଧାନସଭାକୁ ଜିତାଇଛନ୍ତି । ଏହା ସତ୍ତ୍ୱେ ସେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ନେଇପାରନ୍ତି ।

ଅନ୍ୟପକ୍ଷରେ ବିଜେପି ହାତରେ ଏବେ ପ୍ରାର୍ଥୀ ନାହାନ୍ତି । ଗତ ଉପ ନିର୍ବାଚନରେ ପରାଜୟ ବରଣ କରିଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳ ସେଠାରୁ ଆଉ ଥରେ ପ୍ରାର୍ଥୀ କରିବା ସମ୍ଭାବନା କ୍ଷୀଣ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବା ନେଇ ଗୋଟିଏ ଗୋଷ୍ଠୀ ଚିନ୍ତା କରୁଛନ୍ତି । ଏହାଦ୍ୱାରା ବିଧାନସଭାରେ ଦଳର ପ୍ରଦର୍ଶନରେ କିଛିଟା ସୁଧାର ଆସିପାରେ । ରାଜନୈତିକ ମହଲର କହିବା କଥା ହେଉଛି, ବିଜେଡି-ବିଜେପି ରଣନୀତି ନିର୍ଧାରଣ ପରେ ଯାଇ କଂଗ୍ରେସ ସଂପର୍କରେ ସେଠାରେ ଚିନ୍ତା କରାଯାଇପାରେ । କାରଣ ଗତ ଉପନିର୍ବାଚନ ହେଉ କି ସାଧାରଣ ନିର୍ବାଚନ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ।

୨୦୧୮ ଉପ ନିର୍ବାଚନରେ ନବୀନଙ୍କୁ ବିଜେପି କର୍ମୀ ଚପଲ ଫିଙ୍ଗିଥିଲେ । ପରିଣାମ ହେଲା, ରୀତା ସାହୁ ୪୧ ହଜାର ୫୩୯ ଭୋଟରେ ବିଜୟୀ ହୋଇଥିଲେ । ଏହି ନିର୍ବାଚନମଣ୍ଡଳୀ ଦାୟିତ୍ୱ ସେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ନେଲେ ବୋଲି ଘୋଷଣା କରିଥିଲେ । ଗତ ସାଧାରଣ ନିର୍ବାଚନରେ ସେ ନିଜେ ଏହି ଆସନରୁ ପ୍ରାର୍ଥୀ ହୋଇ ଲଢିଥିଲେ । ଏଠାରେ ଭୋଟ ବ୍ୟବଧାନ ୫୭ ହଜାରରୁ ଅଧକ ଥିଲା । ହେଲେ ନବୀନ କିନ୍ତୁ ତାଙ୍କ ପାରମ୍ପରିକ ହିଞ୍ଜିଳି ଆସନ ରଖି ଏହି ଆସନକୁ ଇସ୍ତଫା ଦେଇଥିଲେ । ଫଳରେ ଦୁଇ ବର୍ଷ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀ ଏବେ ତୃତୀୟ ଥର ବିଧାନସଭା ନିର୍ବାଚନ ସାମ୍ନା କରିବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ, ଭାରତର ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ, ଆସନ୍ତା ୨୩ ତାରିଖ ଦିନ ଉପନିର୍ବାଚନ ସଂକ୍ରାନ୍ତ ବିଧିବଦ୍ଧ ବିଜ୍‍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପେ୍‍ଟମ୍ୱର ୩୦ ରହିଛି । ଅକ୍ଟୋବର ୧ ତାରିଖ ଦିନ ଯାଞ୍ଚ ଓ ୩ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୨୧ ତାରିଖ ଦିନ ଭୋଟଗ୍ରହଣ ଓ ୨୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ସଂପର୍କରେ ଆଭାସ ପାଇ ବିଜେଡି ଇତିମଧ୍ୟରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରିଛି ।

Spread the love