ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ଇଂଲଣ୍ଡ, ୧୧୦ ରନରେ ଅଲଆଉଟ୍

ଲଣ୍ଡନ:  ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଧରାଶାୟୀ। ଲଣ୍ଡନର କେନିଙ୍ଗଟନ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଘରୋଇ ଇଂଲଣ୍ଡ ୨୫.୨ ଓଭରରେ ୧୧୦ ରନରେ ଅଲଆଉଟ୍  ହୋଇଛି। ଭାରତୀୟ ବୋଲରଙ୍କ ଦୁର୍ଦ୍ଦଷ ବୋଲିଂ ଆଗରେ ତିଷ୍ଠି ପାରି ନାହାନ୍ତି ଇଂରେଜ ଖେଳାଳି। ଭାରତୀୟ ବୋଲର ଏମିତି ଶାଣିତ ବୋଲିଂ କରିଛନ୍ତି ଯେ, ଇଂଲଣ୍ଡର ୪ ବ୍ୟାଟସମ୍ୟାନ ଖାତା ଖୋଲି ପାରିନଥିବା ବେଳେ ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ଇଂଲଣ୍ଡ ଦଳର ଦିନିକିଆରେ ସର୍ବନିମ୍ନ ସ୍କୋର ହେଉଛି ୮୬। ୨୦୦୧ରେ ଅଷ୍ଟ୍ରେଲିଆ ବିରୋଧରେ ଇଂଲଣ୍ଡ ଏହି ସ୍କୋର କରିଥିଲା। ଆଜିର ମ୍ୟାଚରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୧୯ ରନ ଦେଇ ୬ଟି ଓ୍ଵିକେଟ୍ ନେଇଛନ୍ତି। ଦିନିକିଆ କ୍ୟାରିୟରରେ ଏହା ବୁମରାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ।  ଏହା ପୂର୍ବରୁ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆରମ୍ଭରୁ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଘରୋଇ ଦଳ ୨୫ ରନ ଭିତରେ ଅଧା ଓ୍ଵିକେଟ୍  ହରାଇଥିଲା। ୬ ରନ ସ୍କୋରରେ ଜାସନ ରୟ(୦) ଏବଂ ଜୋ ରୁଟ୍‌(୦)ଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ଯଶପ୍ରୀତ ବୁମରା। ପୁଣି ବେନ ଷ୍ଟୋକଙ୍କୁ ମଧ୍ୟ ଶୂନ୍ୟ ରନରେ ପାଭିଲିୟନ ପଠାଇଥିଲେ ମହମ୍ମଦ ଶାମି। ବେୟାରଷ୍ଟୋ(୭)ଙ୍କୁ ନିଜର ତୃତୀୟ ଶିକାର କରିଥିଲେ ବୁମରା। ଲିୟାମ ଲିଭିଙ୍ଗଷ୍ଟୋନକୁ ବୋଲ୍ଡ କରି ଖାତା ମଧ୍ୟ ଖୋଲିବାକୁ ଦେଇନଥିଲେ ବୁମରା।

ମୋଇନ ଅଲ୍ଲୀ କିଛି ସମୟ କ୍ରିଜରେ ରହି ୧୪ ରନ କରି ପ୍ରସିଦ୍ଧ କୃଷ୍ଣାଙ୍କୁ ଓ୍ଵିକେଟ୍ ଦେଇଥିଲେ। ଭଲ ବ୍ୟାଟିଂ କରିଥିଲେ ବି ଜୋସ୍ ବଟଲର ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୩୨ ବଲରୁ ୬ ଚୌକା ସହ ୩୦ ରନ କରି ଶାମିଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। କ୍ରେଗ ଓଭରଟନ(୮)ଙ୍କୁ ଆଉଟ୍ କରି ଶାମି ଭାରତକୁ ଅଷ୍ଟମ ସଫଳତା ଦେଇଥିଲେ। ଏହା ପରେ ଡେଭିଡ୍ ଓ୍ଵିଲି ଏବଂ ବ୍ରିଡନ କାରସେ ନବମ ଓ୍ଵିକେଟରେ ୩୫ ରନ ଯୋଡିବାରୁ ଇଂଲଣ୍ଡ ୧୦୦ ରନ କରି ପାରିଛି। ବୁମରା କାରସେ(୧୫)କୁ କ୍ଲିନ ବୋଲ୍ଡ କରି ବ୍ୟକ୍ତିଗତ ପଞ୍ଚମ ସଫଳତା ହାସଲ କରିଥିଲେ। ଡେଭିଡ୍ ଓ୍ଵିଲି(୨୧)ଙ୍କୁ ବୋଲ୍ଡ କରି ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ ବୁମରା।

ଭାରତ ପକ୍ଷରୁ ବୁମରା ୭.୨ ଓଭରରେ ମାତ୍ର ୧୯ ରନ ଦେଇ ୬ ସଫଳତା ହାସଲ କରିଛନ୍ତି।ଦିନିକିଆ କ୍ରିକେଟରେ ବୁମରାଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ସେ ଦିନିକିଆରେ ୨୭ ରନ ଦେଇ ୫ଟି ଓ୍ଵିକେଟ୍ ନେଇଥିଲେ।  ମହମ୍ମଦ ଶାମି ୩୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

Spread the love