କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବଛା ହେବେନି ନେତା

ଭୁବନେଶ୍ୱର ୧୩/୦୭: ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ । କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ କି କ୍ୟାମ୍ପସରେ ନେତା ବଛା ହେବେନି । ବରଂ ଯେଉଁଭଳି ପାଠପଢ଼ା ଚାଲିଛି ସେମିତି ଜାରି ରହିବ । ଅଗଷ୍ଟ ମାସରୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଜୁଲାଇ ଶେଷ ସପ୍ତାହ ସୁଦ୍ଧା ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ଶେଷ କରିବାକୁ କୁହାଯାଇଛି । କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢ଼ାରୁ ମୁକୁଳି କ୍ୟାମ୍ପସର ସ୍ଥିତି ଯେପରି ପୂର୍ବବତଃ ଜାରି ରହିବ ତାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଦୁଇଟି ଶିକ୍ଷାବର୍ଷ ପ୍ରଭାବିତ ହୋଇଥିଲା । ଅଢ଼େଇ ବର୍ଷ ହେଲା କ୍ଲାସ କିମ୍ବା ଶିକ୍ଷାବର୍ଷ ସ୍ବାଭାବିକ ଭାବେ ଚାଲି ପାରୁନାହିଁ। କ୍ଲାସରୁମ୍ ପାଠପଢ଼ା ହେଉଥିଲେ ମଧ୍ୟ ଏବେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଥିବାରୁ ପିଲାଙ୍କ ମଧ୍ୟରେ ସାମାନ୍ୟ ଭୟ ଦେଖିବାକୁ ମିଳୁଛି। କ ରୋନା ସ୍ଥିତିରେ ଯେଉଁ ପାଠପଢ଼ା ପ୍ରଭାବିତ ହୋଇଥିଲା ସେଥିରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ଲାଗି ଆହୁରି ଦେଢ଼ ବର୍ଷ ଲାଗିଯିବ। ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଆଦୌ ସମ୍ଭବପର ନୁହେଁ।

ଏହାକୁ ମିଶାଇ ଲଗାତାର ୫ମ ବର୍ଷ ଲାଗି କ୍ୟାମ୍ପସରେ ନିର୍ବାଚନ ବନ୍ଦ ହେବାକୁ ଯାଉଛି । ୨୦୧୮ରେ ବାତ୍ୟା ‘ତିତିଲି’ ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା । ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସ୍ଥିର ହୋଇଥିଲା । ୨୦୨୦ ତଥା ଗତବର୍ଷ କରୋନା ଯୋଗୁଁ କ୍ୟାମ୍ପସ ହିଁ ଆଦୌ ଖୋଲିପାରି ନ ଥିଲା। ୨୦୨୧ରେ କରୋନା ସ୍ଥିତି ଲାଗିରହିବାରୁ ନିର୍ବାଚନ କରାଯାଇ ନ ଥିଲା।

Spread the love