୭୦ ବର୍ଷ ପରେ ଭାରତରେ ପୁଣି ଦେଖିବାକୁ ମିଳିବ ଚିତା, ୧୯୫୨ରେ ଘୋଷିତ ହୋଇଥିଲା ବିଲୁପ୍ତ ପ୍ରାଣୀ

ଭୋପାଲ: ମଧ୍ୟ ପ୍ରଦେଶର ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ନିଜର ନୂଆ ସଦସ୍ୟ ଆଫ୍ରିକୀୟ ଚିତାର ସ୍ୱାଗତ ପାଇଁ ପ୍ରସ୍ତୁତ ହେଉଛି । ଆନ୍ତମହାଦେଶୀୟ (ଟ୍ରାନ୍ସକଣ୍ଟିନେଣ୍ଟାଲ୍) ସ୍ଥାନାନ୍ତରଣ ପରିଯୋଜନାରେ ଚିତା ବାଘକୁ ଅଣାଯାଉଛି । ଯୋଜନା ଅନୁସାରେ ଯଦି ସବୁ କିଛି ଯଦି ଠିକ୍ ରୁହେ ତେବେ ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ବନ୍ୟଜନ୍ତୁ ଭାରତ ଆସିବ । ୧୯୫୨ ମସିହାରେ ଦେଶରେ ବିଲୁପ୍ତ ଘୋଷିତ ହୋଇଥିବା ଦୁନିଆର ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ଚିତାକୁ କୁନୋ-ପାଲପୁର ରାଷ୍ଟ୍ରୀୟ ଉଦ୍ୟାନରେ ରଖାଯିବ। ବନ ବିଭାଗର ଅଧିକାରୀ ଏହି ସୂଚନା ଦେଇଛନ୍ତି।

ମଧ୍ୟ ପ୍ରଦେଶ ଜଙ୍ଗଲ ବିଭାଗ ସଚିବ କହିଛନ୍ତି, ଆମେ ଏହା ଉପରେ କାମ ଜାରି ରଖିଛୁ । ଆସନ୍ତା ଅଗଷ୍ଟରେ ଚିତା ବାଘ ମଧ୍ୟ ପ୍ରଦେଶ ଆସିବ । ଅଗଷ୍ଟ ୧୫ ପୂର୍ବରୁ ଏହା ହେବାର ସମ୍ଭାବନା ରହିଛି ।

ବିଭାଗୀୟ ସଚିବ କହିଛନ୍ତି, ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଦକ୍ଷିଣ ଆଫ୍ରିକାରୁ ଅଣାଯିବ । ଚିତା ବାଘର ସ୍ଥାନାନ୍ତରଣ ଉପରେ ଦୁଇ ଦେଶ ମଧ୍ୟରେ ଏମଓୟୁକୁ ଚୂଡାନ୍ତ ରୁପ ଦିଆଯାଇ ନଥିବା ବନ ଅଧିକାରୀ କହିଛନ୍ତି । ତେବେ ଦ.ଆଫ୍ରିକା ସହ ଏକ ଏମଓୟୁ ଖୁବଶୀଘ୍ର ସ୍ୱାକ୍ଷର ହୋଇପାରେ ବୋଲି ସେ କହିଛନ୍ତି । ଚିତା ମୁଖ୍ୟତଃ ଆଫ୍ରିକାରେ ଦେଖା ଯାଇଥାଏ ।

ବନ ବିଭାଗର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଭାରତ ଅଣାଯିବାକୁ ଥିବା ବାଘ ସଂଖ୍ୟା ବାବଦରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ । ସେ କହିଛନ୍ତି, କେଏନପିରେ ୧୨ରୁ ୧୫ ଚିତାଙ୍କୁ ରଖିବା ପାଇଁ ପ୍ରସ୍ତୁତି କରାଯାଇଛି ଏବଂ ସ୍ଥାନାନ୍ତରିତ ଚିତାଙ୍କୁ ରଖିବା ପାଇଁ ପାଞ୍ଚ ବର୍ଗ କିଲୋମିଟର ଅଞ୍ଚଳକୁ ପ୍ରସ୍ତୁତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, କୁନୋ-ପାଲପୁର ଜାତୀୟ ଉଦ୍ୟାନ ୭୫୦ ରୁ ଅଧିକ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ବ୍ୟାପ୍ତ ଏବଂ ମାଂସାହାରୀ ଜୀବଙ୍କୁ ସମ୍ଭାଳିବା ପାଇଁ ସକ୍ଷମ ଅଛି । ଦେଶରେ ୧୯୪୭ ମସିହାରେ ଶେଷ ଥର ପାଇଁ ଚିତା ବାଘ ଦେଖିବାକୁ ମିଳିଥିଲା । ସେହି ସମୟରେ ଅବିଭାଜିତ ମଧ୍ୟ ପ୍ରଦେଶର ଛତିଶଗଡରେ ଶେଷ ଚିତାର ମୃତ ଉଦ୍ଧାର କରାଯାଇଥିଲା । ଏହାପରେ ୧୯୫୨ ମସିହାରେ ଏହି ବନ୍ୟଜନ୍ତୁକୁ ଦେଶରେ ବିଲୁପ୍ତ ଘୋଷଣା କରାଯାଇଥିଲା ।

Spread the love