ୟୁଏଇ ସ୍ଥାନାନ୍ତର ହୋଇପାରେ ଏସିଆ କପ୍‌ ଟି-୨୦

ନୂଆଦିଲ୍ଲୀ : ଏସିଆ କପ୍‌ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରୁ ୟୁଏଇକୁ ସ୍ଥାନାନ୍ତରିତ ହୋଇପାରେ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମ୍ପାଦକ ମୋହନ ଡିସିଲ୍‌ଭା କହିଛନ୍ତି।  ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇଥିବାବେଳେ ଜରୁରୀକାଳୀନ ଲାଗୁ ହେବା ସହ ଆର୍ଥିକ ସଙ୍କଟ ସୃଷ୍ଟି ହୋଇ ରାଜନୈତିକ ଅସ୍ଥିରତା ଲାଗି ରହିଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କାରେ ଏସିଆ କପ୍‌ ଆୟୋଜନ କରିବା ଅସମ୍ଭବ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତରିତ କରିବା ନେଇ ଯୋଜନା କରିଥିବା ଜଣାପଡିଛି। ସମ୍ଭବତଃ ଏସିଆ କପ୍‌ ୟୁଏଇରେ ଆୟୋଜନ ହୋଇପାରେ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମ୍ପାଦକ ମୋହନ ଡିସିଲଭା ଗତକାଲି ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଆୟୋଜିତ ହେବାବେଳେ ୬ଟି ଦଳ ଅଂଶଗ୍ରହଣ କରିବା ନେଇ ଆମେ ଆଶାବାଦୀ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନ, ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ୫ଟି ଦଳ ଯୋଗ୍ୟତା ଅର୍ଜନ କରିଥିବାବେଳେ ଆଉ ଗୋଟିଏ ଦଳ ଲାଗି ହଂକଂ, ସିଙ୍ଗାପୁର, କୁଏତ ଓ ୟୁଏଇ ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଅଷ୍ଟ୍ରେଲିଆ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ଶୃଙ୍ଖଳାର ସହିତ ଶେଷ ହୋଇଥିବା ବେଳେ ଏବେ ପାକିସ୍ତାନ ସହ ଘରୋଇ ଦଳ ଶ୍ରୀଲଙ୍କା ମ୍ୟାଚ ଖେଳୁଛି।

Spread the love