ନିଟ୍ ପରୀକ୍ଷା ସେଣ୍ଟରରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କରାଗଲା ବାଧ୍ୟ, ମାମଲା ରୁଜୁ କରି ପୋଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବା ପାଇଁ ବାଧ୍ୟ କରାଯିବା ମାମଲାରେ ପୋଲିସ ମାମଲା ରୁଜୁ କରିଛି । କେରଳ ପୋଲିସ ଏହି ଅଭିଯୋଗ ଉପରେ ମଙ୍ଗଳବାର ଏକ ମାମଲା ରୁଜୁ କରିଛି । ଉଲ୍ଲେଖଯୋଗ୍ୟ ଯେ, ନିଟ୍ ପରୀକ୍ଷାରେ ସାମିଲ ଅନେକ ଛାତ୍ରୀ ପରୀକ୍ଷା ହଲକୁ ଯିବା ପୂର୍ବରୁ ସେମାନଙ୍କର ଅନ୍ତଃବସ୍ତ୍ର ବାହାର କରିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଥିଲେ।

କେରଳ ପୋଲିସ ଅନୁସାରେ, ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ବିଧାନର ଧାରା ୩୫୪ ଏବଂ ଧାରା ୫୦୯ ଅଧିନରେ ମାମଲା ରୁଜୁ କରାଯାଇଛି । ରବିବାର କୋଲ୍ଲାମ ଜିଲ୍ଲାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସହ ଏପରି ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଏହାପରେ ଏହିପରି ଆହୁରି ଅନେକ ମାମଲା ସାମ୍ନାକୁ ଆସିଥିବା ପୋଲିସ କହିଛି।

ସୋମବାର ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କ ବାପା ଏହି ଘଟଣାକୁ ଗଣମାଧ୍ୟମ ସାମନାକୁ ଆଣିଥିଲେ । ପ୍ରଥମ ଥର ନିଟ୍ ଦେବାକୁ ଯାଇଥିବା ଏହି ଛାତ୍ରୀ ଜଣଙ୍କ ତିନି ଘଣ୍ଟା ଯାଏଁ ନିଜର ଅନ୍ତଃବସ୍ତ୍ର ନ ପିନ୍ଧି ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ ଥିବା ଡ୍ରେସ କୋଡ୍ ଅନୁସାରେ ତାଙ୍କ ଝିଅ ଡ୍ରେସ ପିନ୍ଧିଥିବା ଛାତ୍ରୀଙ୍କ ବାପା କହିଛନ୍ତି । ତେବେ ଅନ୍ତଃବସ୍ତ୍ର ପାଇଁ ନିଟ୍ ପକ୍ଷରୁ କୌଣସି ପ୍ରକାର ନିର୍ଦ୍ଦେଶ ନଥିବା ସେ କହିଛନ୍ତି ।

ଏହି ଘଟଣା ଉପରେ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ଭିତରେ ଏହା ଉପରେ ରିପୋର୍ଟ ଦାଖଲ କରିବା ପାଇଁ କୋଲ୍ଲାମ ଗ୍ରାମାଞ୍ଚଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love