ଅବସରପ୍ରାପ୍ତ ସେନାକର୍ମଚାରି ସ୍ତ୍ରୀଙ୍କୁ ହତ୍ୟା ଘଟଣା ପୁରିଲା ୫ ବର୍ଷ; ଫରେନସିକ ଲ୍ୟାବରୁ ନମୁନା ରିପୋର୍ଟ ଫାଇଲ ଗାଏବ

ନୀଳଗିରି ୨୦/୦୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ୨୦୧୭ ମସିହାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ଘଟିଥିବା ହତ୍ୟାକାଣ୍ଡକୁ ୫ ବର୍ଷ ପୁରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇନାହିଁ। ଭୁବନେଶ୍ୱର ଫରେନସିକ ଲ୍ୟାବରୁ ଏହି ନମୁନା ରିପୋର୍ଟ ଫାଇଲ ଗାଏବ ହେବାପରେ ଘଟଣା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ନୀଳଗିରି ବାଇପାସ ରାସ୍ତା କଦମ୍ବସାହି ଅଞ୍ଚଳରେ ନୂଆ ଘର କରି ସିଆଡ଼ିମାଳ ଅଞ୍ଚଳର ଅବସର ପ୍ରାପ୍ତ ସେନାକର୍ମଚାରି ନବକିଶୋର ମଲ୍ଲିକ ପରିବାର ସହ ରହୁଥିଲେ। ସେ ବାଲେଶ୍ଵର ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ। ୨୦୧୭ ମସିହା ଅକ୍ଟୋବର ମାସ ୧୩ ତାରିଖ ସନ୍ଧ୍ୟାରେ ଘରକୁ ଆସିବା ପରେ ତାଙ୍କ ସ୍ତ୍ରୀ ଶାନ୍ତିଲତା ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ପାଖରେ ଏକ ଲୁହା ଛଡ଼ ପଡିଥିବା ବେଳେ ବେକରେ ସରୁ ରଶି ଲାଗିଥିବାର ଦେଖିବାକୁ ମିଳିଥିଲା। ରୋଷେଇ ଘରେ ରୋଟି ଦରପୋଡା ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଖବରପାଇ ତତ୍କାଳୀନ ଆଇଆଇସି ରମେଶ ସିଂ ଘଟଣା ସ୍ଥଳରେ ସଦଳେବଳେ ପହଞ୍ଚି ମହିଳାଙ୍କୁ ଆମ୍ବୁଲାନ୍ସରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସ୍ୱାମୀ ନବକିଶୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରଦିନ ଫରେନସିକ ଟିମ୍‌ ସନ୍ଧାନୀ କୁକୁର ନେଇ ତଦନ୍ତ କରିଥିଲା। ରକ୍ତ ନମୁନା ସଂଗ୍ରହ କରି ଫରେନସିକ ପରୀକ୍ଷାଗାର ଭୁବନେଶ୍ୱରକୁ ପଠାଇଥିଲା।ହେଲେ ଅଭିଯୁକ୍ତର ଟେର ପାଇ ପାରି ନଥିଲା ପୋଲିସ।ମହିଳା ଜଣକ ରୋଷେଇ ଘରେ ରୁଟି କରିବା ବେଳେ ତାଙ୍କୁ କେହି ଯାଇ ଆକ୍ରମଣ କରିଥିଲା।ସେ ସିଡିଦେଇ ଉପର ମହଲା ପର୍ଯ୍ୟନ୍ତ ଯାଇଥିଲେ।ହେଲେ ତଳ ମହଲା ଶୋଇବା ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ  ପଡି ମୃତ୍ୟବରଣ କରିଥିଲେ। ବାଥରୁମରେ ରକ୍ତ ଲାଗିଥିବା ଗାମୁଛା ମଧ୍ୟ ମିଳିଥିଲା। ନୀଳଗିରି ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଥିବା ବେଳେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ ତଦନ୍ତଭାର ନେଇଥିବା ବେଳେ ସେ ହତ୍ୟା ହୋଇଥିବା ସ୍ଥାନକୁ ଆସି ତଦନ୍ତ କରିବା ସହ ଆଖପାଖ ଘରକୁ ଯାଇ ପଚାରିଥିଲେ।

ଫରେନସିକ ଲ୍ୟାବକୁ ଯାଇଥିବା ନମୁନାର ରିପୋର୍ଟ ଫାଇଲ କୁଆଡେ ଗାଏବ ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ଏନେଇ ଲ୍ୟାବର ଆସିଷ୍ଟାଣ୍ଡ ଡାଇରେକ୍ଟର  ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଏଭଳି ବିଭତ୍ସ ହତ୍ୟାକାଣ୍ଡର ତଦନ୍ତରେ ଶିଥିଳତା ପଡିବା,ଫାଇଲ ହଜିବା ପଛରେ ଏକ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କେଉଁ ବଡ଼ବଡ଼ିଆଙ୍କ ହାତ ଥିବା ମଧ୍ୟ କୁହାଯାଇଛି। ଏଭଳି ଘଟଣା ଘଟିବା ପରେ ନୀଳଗିରି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତକଙ୍କ ଝିଅ ରୁତୁପୁର୍ଣ୍ଣା ବାରିକ ଓ ସ୍ୱାମୀ ନବକିଶୋର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Spread the love