୫୧୦ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ସ୍ୱାସ୍ଥ୍ୟସେବା କ୍ଷେତ୍ର ଆହୁରି ବ୍ୟାପକ ଏବଂ ଫଳପ୍ରଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏକାଥରେ ୫୧୦ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହି ଡାକ୍ତରମାନଙ୍କ ମଧ୍ୟରେ ଅଛନ୍ତି ୩୫୮ ଏଲୋପାଥିକ୍ ଡାକ୍ତର, ୧୧୬ ହୋମୋପାଥିକ୍ ଡାକ୍ତର ଏବଂ ୩୬ ହୋମୋପାଥିକ୍ ଅଧ୍ୟାପକ । ଆଜି ଲୋକସେବା ଭବନର କନଭେନସନ୍ ହଲ୍ ରେ ସେମାନଙ୍କ ପାଇଁ ଓରିଏଣ୍ଟସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ରେ ଯୋଗଦେଇ ନବନିଯୁକ୍ତ ଡାକ୍ତରମାନଙ୍କୁ ସମ୍ବୋଧିତ କରିଥିଲେ । ଡାକ୍ତରମାନେ ସେମାନଙ୍କ ବୃତ୍ତିକୁ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ମିଶନ୍ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବଜେଟ୍ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । କ୍ରମାଗତ ଭାବେ ସ୍ୱାସ୍ଥ୍ୟ ବଜେଟ୍ ବୃଦ୍ଧି ପାଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ବଜେଟ୍ ୬୮୦୦ କୋଟିରୁ ଅଧିକ ଥିଲା । ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୨ ହଜାର କୋଟିରୁ ଅଧିକକୁ ବୃଦ୍ଧି ପାଇଛି । ଏହା ରାଜ୍ୟ ଯୋଜନାର ୬ ପ୍ରତିଶତରୁ ଅଧିକ । ବିଗତ ତିନିବର୍ଷରେ ସ୍ୱାସ୍ଥ୍ୟ ବିଭାଗର ବଜେଟ୍ ଆକାର ଦ୍ୱିଗୁଣା ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।

Spread the love