ରାଜନୀତି ଛାଡ଼ିବେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା

ବେଙ୍ଗାଲୁରୁ   :  କର୍ଣ୍ଣାଟକର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା(୭୯) ସକ୍ରିୟ ରାଜନୀତି ଛାଡ଼ିବା ନେଇ ଗତକାଲି ସଙ୍କେତ ଦେଇଛନ୍ତି। ସେ ତାଙ୍କ ପୁଅ ତଥା ରାଜ୍ୟ ଭାଜପା ଉପାଧ୍ୟକ୍ଷ ବି.ଓ୍ବାଇ. ବିଜୟେନ୍ଦ୍ରଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଛାଡ଼ିଦେଇଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ଉକ୍ତ ଆସନରୁ ବିଜୟେନ୍ଦ୍ର ଲଢ଼ିବେ ବୋଲି ୟେଦୁରପ୍ପା ସ୍ପଷ୍ଟ କରିଛନ୍ତି। ବିଜୟେନ୍ଦ୍ର ମହୀଶୂର ଅଞ୍ଚଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ବୋଲି ତାଙ୍କ ସମର୍ଥକମାନେ ପ୍ରଶ୍ନ କରିବାରୁ ୟେଦୁରପ୍ପା କହିଛନ୍ତି, ମୁଁ ଶିକାରୀପୁରାରୁ ନିର୍ବାଚନ ଲଢ଼ିବି ନାହିଁ। ସେଠାରୁ ବିଜୟେନ୍ଦ୍ର ଲଢ଼ିବେ। ଶିକାରୀପୁରା ମତଦାତା ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାନ୍ତୁ ବୋଲି ୟେଦୁରପ୍ପା ଯୋଡ଼ହସ୍ତରେ ନିବେଦନ କରିଛନ୍ତି। ପ୍ରକାଶ ଯେ, ବିଜୟେନ୍ଦ୍ରଙ୍କୁ ୨୦୨୦ ଜୁଲାଇରେ  0କର୍ଣ୍ଣାଟକ ଭାଜପା ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ୨୦୧୮ ମେ’ ବିଧାନସଭା ନିର୍ବାଚନ ବେଳେ ଦଳ ବିଜୟେନ୍ଦ୍ରଙ୍କୁ ବରୁଣ ଆସନରୁ ଟିକେଟ ନ ଦେଇ ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନିଯୁକ୍ତ କରିଥିଲା।

Spread the love