5G ସ୍ପେକ୍ଟ୍ରମ ପାଇଁ ନିଲାମୀ ଶେଷ, ସରକାରଙ୍କ ଆୟ ୧.୫ଲକ୍ଷ କୋଟି !

ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମ ପାଇଁ ନିଲାମୀ ସପ୍ତମ ଦିନରେ ଶେଷ ହୋଇଛି । ଏହାସହ ସ୍ପେକ୍ଟ୍ରମ ବିକ୍ରିରୁ ସରକାରଙ୍କ ନିକଟକୁ ୧.୫ ଲକ୍ଷ କୋଟି ଟଙ୍କା ଆସିଛି । ଏହି ଅର୍ଥରାଶି ଆଶା ଠାରୁ ଢେର ଅଧିକ ରହିଛି, କାରଣ ସରକାର ମଧ୍ୟ ଏହି ରେକର୍ଡ ଅର୍ଥ ସଂଗ୍ରହ ନେଇ ଆଶା କରିନଥିଲେ । ତେବେ ନିଲାମୀ ବାବଦରେ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ ଘୋଷଣା ହେବା ବାକି ରହିଛି । ସୂତ୍ରକୁ ଆଧାର କରି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

ଜୁଲାଇ ୨୬ରୁ ଆରମ୍ଭ ହୋଇଥିଲା ନିଲାମୀ ପ୍ରକ୍ରିୟା ସପ୍ତମ ଦିନରେ ଶେଷ ହୋଇଛି । ଏଥିରୁ ସରକାରଙ୍କୁ ୧,୫୦,୧୭୩ କୋଟି ଟଙ୍କା ମିଳିଛି । ଏହି ରାଜସ୍ୱ ସଂଗ୍ରହ ସ୍ପେକ୍ଟ୍ରମ ବିକ୍ରିକୁ ମିଳିଛି । ଅର୍ଥାତ କେନ୍ଦ୍ର ସରକାର ୧.୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ସ୍ପେକ୍ଟ୍ରମ ଟେଲିକମ କମ୍ପାନି ଗୁଡିକୁ ବିକ୍ରି କରିଛନ୍ତି।

ଏହି ସାତ ଦିନରେ ମୋଟ ୪୦ ରାଉଣ୍ଡ ସ୍ପେକ୍ଟ୍ରମ ନିଲାମୀ ଚାଲିଥିଲା ଏଥିରେ ଦୂରସଂଚାର କମ୍ପାନି ଗୁଡିକ ବେଶ ଉତ୍ସାହ ସହ ବୋଲି ଲଗାଇଥିଲେ । ଏହି ଆୟ ସରକାରଙ୍କ ଆଶାଠାରୁ ମଧ୍ୟ ବେଶି ଅଧିକ । ଏହାସହ ଗତ ବର୍ଷର ନିଲାମୀ ଡକାରାଠାରୁ ଅଧିକ ଆୟ ରେକର୍ଡ କରାଯାଇଛି । ଏହି ନିଲାମୀରୁ ସରକାର ୮୦,୦୦୦ କୋଟି ଟଙ୍କା ଆୟ କରିବା ନେଇ ଅନୁମାନ ରଖିଥିଲେ । ଏବେ ୧୦ ଦିନ ମଧ୍ୟରେ କମ୍ପାନି ଗୁଡିକୁ ଏହି ଟଙ୍କାର ପୈଠ କରିବାକୁ ପଡିବ।

ନିଲାମୀରେ ବୋଲି ଲଗାଇଥିବା କମ୍ପାନି ଗୁଡିକ ୭୫୦୦  କୋଟି ଟଙ୍କା ଦେବାର ଅଛି । ଏହା ପରେ ସରକାର କମ୍ପାନି ଗୁଡିକୁ ଅଗଷ୍ଟ ୧୫ ପୂର୍ବରୁ ପ୍ରଥମ ସ୍ପେକ୍ଟ୍ରମ ଆବଣ୍ଟନ କରିବେ। କମ୍ପାନି ଗୁଡିକୁ ସେପ୍ଟେମ୍ୱର-ଅକ୍ଟୋବର ସୁଦ୍ଧା 5G ସେବା ଆରମ୍ଭ କରିପାରନ୍ତି । 5G ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେଇଥିବା କମ୍ପାନି ଗୁଡିକ ମଧ୍ୟରେ ରିଲାଏନ୍ସ ଜିଓ, ଭାରତୀୟ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଆଦନୀ ଏଣ୍ଟରପ୍ରାଇଜେସ ସାମିଲ ଅଛି ।

Spread the love