ତାତିରୁ ମିଳିଲା ତ୍ରାହି, ଭୁବନେଶ୍ବରରେ କାଚିଲା ବର୍ଷା

ତାତିର ମିଳିଲା  ତ୍ରାହି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖ ପାଖ ଅଞ୍ଚଳରେ ନିର୍ଧୁମ ଛେଚିଛି ବର୍ଷା । ବିଗତ ୪ ଦିନ ହେବ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଥିଲେ ରାଜଧାନୀବାସୀ । ଖରାଦିନ ଭଳି ଗରମ ଅନୁଭୂତ ହେଉଥିଲା। ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଗୁଳୁଗୁଳିର ପ୍ରକୋପ ରହିବ ବୋଲି ସୂଚନା ମଳିଥିଲ। କିନ୍ତୁ ଅପରାହ୍ନରେ ଘଡଘଡି ସହ କଳାହାଣ୍ଡିଆ ମେଘ ମାଡି ଆସି ମୁଷଳ ଧାରାରେ ବର୍ଷା କାଚିଥିଲା।  ଘଣ୍ଟା ପ୍ରତି ୨ ରୁ ୩ ସେମି ବର୍ଷା ହୋଇଥିବା ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ମୌସୁମୀ ଦୁର୍ବଳ ହେବା ପରେ ରାଜ୍ୟରେ କମିଛି ବୃଷ୍ଟିପାତ । ଜୁନ୧ରୁ ଅଗଷ୍ଟ ୧ ମଧ୍ୟରେ ରାଜ୍ୟରେ ୯ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ୫୬୦ ମିମି ବର୍ଷା ରହିଥିବା ବେଳେ ଏପର୍ଯ୍ୟନ୍ତ ୫୧୨ମିମି ବର୍ଷା ହୋଇଛି । ୨ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୨୩ଟି ଜିଲ୍ଲାରେ ସ୍ୱାଭାବିକ ଓ ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । .

Spread the love