ଦୁଇ ସହକର୍ମୀଙ୍କୁ ଗୁଳିକଲେ ସିଆଇଏସଏଫ ଯବାନ; ଘଟଣାସ୍ଥଳରେ ଜଣେ ମୃତ, ଅନ୍ୟ ଜଣେ ଆହତ

କୋଲକାତା ୦୬/୦୮: ପଶ୍ଚିମବଙ୍ଗର ରାଜଧାନୀ କେଲକାତାରେ ଇଣ୍ଡିଆନ ମ୍ୟୁଜିଅମରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। ସେଠାରେ ନିୟୋଜିତ ଥିବା ଜଣେ ସିଆଇଏସଏଫ ଯବାନ ୨ଜଣ ସହକର୍ମୀଙ୍କୁ ତାଙ୍କ ଏକେ-୪୭ ସର୍ଭିସ ରାଇଫଲରୁ ଗୁଳି କରିଛନ୍ତି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଗୁରୁତର ସିଆଇଏସଏଫ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ପୃକ୍ତ ଯବାନ ସହକର୍ମୀଙ୍କୁ ଗୁଳି କରିବା ପରେ ମ୍ୟୁଜିଅମ ଭିତରେ ଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ଘଟଣାସ୍ଥଳରେ ଲୋକମାନେ ଏକାଠି ହୋଇଯାଇଥିଲେ। ତୁରନ୍ତ ଆହତ ସିଆଇଏସଏଫ ଯବାନଙ୍କୁ ଆମ୍ୱୁଲାନ୍ସରେ ଡାକ୍ତରଖାନାକୁ ପଠାଯାଇଥିଲା। ଗୁଳି କରିଥିବା ଯବାନଙ୍କୁ ପୋଲିସ କାବୁ କରିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ଅଧିକ ସୁରକ୍ଷାବଳଙ୍କୁ ନିୟୋଜିତ କରାଯାଇଛି।

ଗୁଳି କରିଥିବା ସିଆଇଏସଏଫ ଯବାନଙ୍କ ପରିଚୟ ଅକ୍ଷୟ ମିଶ୍ର। ତାଙ୍କ ଘର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସମ୍ପୃକ୍ତ ଯବାନ ସିଆଇଏସଏଫରେ କନଷ୍ଟେବଲ୍‌ ଭାବେ କାର୍ଯ୍ୟରତ ଥିଲେ। ସେ ତାଙ୍କ ସର୍ଭିସ ରାଇଫଲରୁ ୨ ସହକର୍ମୀଙ୍କୁ ୨୦ରୁ ୨୫ ରାଉଣ୍ଡ ଗୁଳି କରିଥିଲେ। ଏଥିରେ ଜଣେ ସିଆଇଏସଏଫ ଏସଆଇଙ୍କ ମୃତ୍ୟୁ ହୋଇଛି। ମୃତ ସିଆଇଏସଏଫ ଏସଆଇଙ୍କ ପରିଚୟ ରଞ୍ଜିତ କୁମାର ଷଡ଼ଙ୍ଗୀ ବୋଲି କୁହାଯାଇଛି।

ସମ୍ପୃକ୍ତ ଓଡ଼ିଆ ଯବାନଙ୍କୁ ତାଙ୍କ ବାପାଙ୍କ ମୃତ୍ୟୁ ପାଇଁ ଛୁଟି ନମିଳିବାରୁ ଏପରି ଗୁଳିକାଣ୍ଡ କରଛନ୍ତି ବୋଲି ଜଣା ପଡ଼ିଛି। ସମ୍ପୃକ୍ତ ଯବାନଙ୍କୁ କୋଲକାତା ପୋଲିସ ଗିରଫ କରିଛି। ଗିରଫ ହେବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଭୁଲରେ ଏପରି କରିଦେଇଛି। ଛୁଟି ନମିଳିବାରୁ ଅଭିଯୁକ୍ତ ଯବାନଙ୍କ ମାନସିକ ଅବସ୍ଥା ସ୍ଥିର ସ୍ୱଭାବିକ ନଥିଲା ବୋଲି ଜଣା ପଡ଼ିଛି।

Spread the love