ହର୍‌ ଘର୍‌ ତ୍ରିରଙ୍ଗା: ଜାଣି ରଖନ୍ତୁ ପତାକା ଉଡ଼ାଇବାର ନିୟମ ଏବଂ କ’ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର

‘ଆଜାଦୀର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ୧୧ରୁ ୧୭ ଅଗଷ୍ଟ ଆୟୋଜିତ ହେଉଛି ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ। ପ୍ରତ୍ୟେକ ଭାରତୀୟ ନିଜ ନିଜ ଘରେ ଏବଂ ଅଫିସ୍‌ରେ ଉଡ଼ାଇବେ ତ୍ରିରଙ୍ଗା। ଏ ନେଇ ସେମାନଙ୍କୁ ପ୍ରେରିତ କରିବା ହେଉଛି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ତେବେ ଏହି ଅଭିଯାନ ବେଳେ ପତାକା ତିଆରି କରିବା ଏବଂ ଏହାକୁ ଉଡ଼ାଇବାର ନିୟମ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାଳନ କରିବାକୁ ହେବ। ଏଥିପାଇଁ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି। ଆସନ୍ତୁ ଜାଣିବା…‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନର ଉଦ୍ଦେଶ୍ୟ, ସମସ୍ତ ନାଗରିକଙ୍କ ମନରେ ଦେଶପ୍ରେମ ଭାବନାକୁ ଜାଗ୍ରତ କରିବା ଏବଂ ସ୍ୱତନ୍ତ୍ରତାର ପ୍ରତୀକଗୁଡ଼ିକ ପ୍ରତି ସମ୍ମାନ ପ୍ରଦର୍ଶନ କରିବା। ସରକାରୀ ପ୍ରତିଷ୍ଠାନ ସାଙ୍ଗକୁ ଘରୋଇ ପ୍ରତିଷ୍ଠାନ ଓ ଆବାସଗୁଡ଼ିକରେ ସୂର୍ଯ୍ୟୋଦୟ ପରେ ପତାକା ଉଡ଼ାଇବାକୁ କୁହାଯାଇଛି।

ପତାକା ତିଆରିର ନିୟମ

-ପତାକାର ଆକାର ଆୟତାକାର ହେବା ଉଚିତ୍‌।

-ପତାକାର ଲମ୍ବା ଏବଂ ଚଉଡ଼ାର ଅନୁପାତ ରହିବ ୩:୨। ଉଦାହରଣ ସ୍ୱରୂପ, ଯଦି ପତାକାର ଲମ୍ବା ୩ ଫୁଟ ଅଛି, ତା’ ହେଲେ ଚଉଡ଼ା ରହିବ ୨ ଫୁଟ୍‌।

-ପତାକା ତିଆରି ପାଇଁ ଖଦି ଅଥବା ହାତ କିମ୍ବା ମେସିନ ବୁଣା କପଡ଼ା, କଟନ୍‌ (ସୂତା), ପଲିଷ୍ଟର୍‌, ଉଲ୍‌, ସିଲ୍କ କପଡ଼ା ବ୍ୟବହାର କରାଯାଇ ପାରିବ।

-ପତାକାର ୩ ରଙ୍ଗ ମଧ୍ୟରୁ ସର୍ବ ଉପରେ ରହିବ କେସରୀ, ମଝିରେ ଧଳା ଏବଂ ନିମ୍ନ ଭାଗରେ ସବୁଜ ରଙ୍ଗ ପ୍ରୟୋଗ କରି ପତାକା ତିଆରି କରାଯିବ।

-ଧଳା ପଟ୍ଟି ଉପରେ ୨୪ଟି ଅର ବିଶିଷ୍ଟ ଅଶୋକ ଚକ୍ର ପ୍ରିଣ୍ଟ୍‌ କରାଯିବ।

ପତାକା ଉଡ଼ାଇବାର ନିୟମ

-ପ୍ରତ୍ୟେକ ନାଗରିକ ନିଜ ଘର, ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସମ୍ମାନର ସହିତ ପତାକା ସଂହିତା (ଫ୍ଲାଗ୍‌ କୋଡ୍‌) ଅନୁପାଳନ କରି ଜାତୀୟ ପତାକା ଉଡ଼ାଇବା ଉଚିତ୍‌।

-ପତାକା ଉଡ଼ାଇବା ସମୟରେ ସବୁବେଳେ କେସରୀ ରଙ୍ଗର ପଟ୍ଟି ଉପର ଆଡ଼କୁ ରହିବା ଉଚିତ୍‌।

-ଯଦି ସରକାରୀ ପ୍ରତିଷ୍ଠାନ ପରିସରରେ ପତାକା ଉଡ଼ାଯାଉଛି, ତା’ ହେଲେ ସୂର୍ଯ୍ୟୋଦୟ ପରେ ଧ୍ୱଜାରୋହଣ କରାଯିବା ଉଚିତ୍‌ ଏବଂ ସୂର୍ଯ୍ୟାସ୍ତ ସହିତ ହିଁ ଏହାକୁ ସମ୍ମାନର ସହ ତଳକୁ ଆଣିବା ଦରକାର।

-ପ୍ରତ୍ୟେକଙ୍କ ଘରେ ବିଧିବଦ୍ଧ ଉପାୟରେ ପତାକା ଲଗାଯିବା ଆବଶ୍ୟକ। ଅର୍ଦ୍ଧନମିତ, ଫଟା କିମ୍ବା କଟି ଯାଇଥିବା ପତାକା ଲଗାଇବା ନିଷେଧ।

ସରକାରୀ ନିର୍ଦ୍ଦେଶନାମା

-‘ହର୍‌ ଘର୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସରକାରୀ ଅଧିକାରୀ, କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ବିଭିନ୍ନ ନାଗରିକ ସଙ୍ଗଠନ ଆଦିଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯିବ।

-ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ ପତାକା ତିଆରି କରାଯିବ। ‘ହର୍‌ ଘର୍‌ ତ୍ରିରଙ୍ଗା’କୁ ନେଇ ଗାଁମାନଙ୍କରେ ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

-ଗ୍ରାମ ପଞ୍ଚାୟତ ସ୍ତରରେ ସମ୍ପୃକ୍ତ ବିଭାଗ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଗ୍ରାମ ପ୍ରଧାନ ମାନଙ୍କୁ ଶତ ପ୍ରତିଶତ ଘର, ଦୋକାନ, କାର୍ଯ୍ୟାଳୟ, ଶିକ୍ଷା ସଂସ୍ଥାନ ଏବଂ ନଳକୂପ ଆଦି ଉପରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରେରିତ କରାଯିବ।

Spread the love