ଫଟା ଏବଂ ପୁରୁଣା ତ୍ରିରଙ୍ଗାକୁ କ’ଣ କରାଯାଏ ?

ନୂଆଦିଲ୍ଲୀ ୧୩।୮: ଅଗଷ୍ଟ ୧୫ରେ ୭୫ତମ ସ୍ବାଧୀନତା ଦିବସ ପାଳନ କରିବ ଭାରତ । ଏହାକୁ ଆଜାଦୀ କା ଅମୃତ ମହୋତ୍ସବ ନାମରେ ଦେଶବ୍ୟାପୀ ପାଳନ କରାଯାଉଛି । ସରକାର ହର୍ ଘର୍ ତ୍ରିରଙ୍ଗା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସେମାନଙ୍କ ଘରେ ଜାତୀୟ ପତାକା ଲଗାଇବାକୁ ଅପିଲ୍ କରିଛନ୍ତି । ତ୍ରିରଙ୍ଗା ଆମ ଦେଶର ଗର୍ବ ଗୌରବ ସମ୍ମାନ । କିନ୍ତୁ ଏହାକୁ ଉଡାଇବା ପାଇଁ କିଛି ନିୟମ ରହିଛି । ଅଧିକାଂଶ ଲୋକଙ୍କୁ ଏହା ଜଣାଥିବ ଯେ କିପରି ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ । କିନ୍ତୁ ପୁରୁଣା ତ୍ରିରଙ୍ଗା ପତାକାକୁ କଣ କରାଯିବ ତାହା ଖୁବ୍ କମ୍ ଲୋକ ଜାଣିଥିଲେ । ଏହା ବ୍ୟତୀତ ଯଦି କୌଣସି କାରଣରୁ ଜାତୀୟ ପତାକା ଫାଟିଗଲା କିମ୍ବା ଛିଣ୍ଡିଗଲା ତେବେ ଏଥିପାଇଁ କିଛି ନିୟମ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ ।

ଭାରତୀୟ ଫ୍ଲାଗ୍ କୋଡ୍‌ର ଧାରା ୨.୨ ଅନୁସାରେ ଯଦି ତ୍ରିରଙ୍ଗା କ୍ଷତିଗ୍ରସ୍ତ ହୁଏ କିମ୍ବା ରଙ୍ଗହୀନ ହୋଇଯାଏ କିମ୍ବା ଯଦି ଫାଟିଯାଏ ତେବେ ତାହାକୁ ଅଲଗା ସ୍ଥାନକୁ ନେଇ ସମ୍ପୂର୍ଣ୍ଣ ନଷ୍ଟ କରାଯିବା ଉଚିତ । ପତାକାକୁ ଜଳାଇ କିମ୍ବା ଏମିତି ଉପାୟରେ ନଷ୍ଟ କରିବା ଉଚିତ ଯେମିତି ପତାକାର ସମ୍ମାନ ହାନି ହେବନାହିଁ । ତ୍ରିରଙ୍ଗା ପତାକାକୁ ପବିତ୍ର ନଦୀରେ ଜଳ ସମାଧି ମଧ୍ୟ ଦିଆଯାଇପାରେ । ଫଟା କିମ୍ବା ରଙ୍ଗହୀନ ତ୍ରିରଙ୍ଗା ପତାକା ଉଡାଇବା ଅପରାଧ । ଯଦି କେହି ଏଭଳି କରନ୍ତି ତେବେ ତାଙ୍କୁ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇପାରେ ।

ସ୍ବାଧୀନତା ଦିବସ କିମ୍ବା ଅନ୍ୟ କୌଣସି ଜାତୀୟ ଉତ୍ସବରେ ସ୍କୁଲରେ ପିଲାମାନେ କାଗଜ ତ୍ରିରଙ୍ଗା ନେଇ ଯାଇଥାନ୍ତି । ଏହି ପତାକାକୁ ଭୁଲରେ ବି ତଳେ ପକାଇବା ଉଚିତ ନୁହେଁ । ଏହି ଜାତୀୟ ପତାକାର ସମ୍ମାନ ରକ୍ଷା କରି ଏହାକୁ ଅନ୍ୟ ସ୍ଥାନକୁ ନେଇ ତ୍ୟାଗ କରାଯିବା ଉଚିତ । କାଗଜ ତ୍ରିରଙ୍ଗାକୁ ପାଣିରେ ମଧ୍ୟ ସମର୍ପିତ କରିପାରିବେ ।

ଏହା ବ୍ୟତୀତ ଆପଣ ନିଶ୍ଚୟ ଦେଖିଥିବେ ଯେ ସୈନିକ ସହିଦ ହେବା ପରେ ତାଙ୍କ ଶରୀରରେ ତ୍ରିରଙ୍ଗା ପତାକା ପକାଯାଇଥାଏ । ଏହି ତ୍ରିରଙ୍ଗା ପତାକାକୁ ଗୋପନୀୟ ଭାବେ ସମ୍ମାନର ସହିତ ପୋଡି ଦିଆଯାଏ କିମ୍ବା ନଦୀରେ ସମାଧି ଦିଆଯାଏ ।

Spread the love