ତିନି ଦିନପରେ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ

ବିନିକା ୧୪।୦୮: ବଲାଙ୍ଗୀର ବରପାଲି ବ୍ୟାଙ୍କ ମ୍ୟାନେଜର ନିଖୋଜ ଘଟଣା । ଗତ ୧୦ ତାରିଖ ସନ୍ଧ୍ୟାରୁ ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ମିଳିଛି । ବଲାଙ୍ଗୀର ସହରର ଶାନ୍ତିପଡାର ନିବାସୀ ଦିବ୍ୟ ରଂଜନ ମିଶ୍ରଙ୍କ ମୃତଦେହ ସୋନପୁର ଜିଲ୍ଲା ଅଙ୍ଗ ନଦୀର ବିନିକା ବ୍ଳକ ଜୁଲୁଣ୍ଡା ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୋଲିସ ସମସ୍ତ ଦିଗରୁ ତଦନ୍ତ ଚଳାଇଛି।

ଖବର ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟା ସମୟରେ କାମ ସାରି ଦିବ୍ୟ ରଞ୍ଜନ ଘରକୁ ଫେରୁଥିଲେ । କିନ୍ତୁ ଅଙ୍ଗନଦୀ ପୋଲ ଉପରୁ ସେ ନିଖୋଜ ହୋଇଯାଇଥିଲେ । ଚେରୁପାଲି ଅଙ୍ଗନଦୀ ବ୍ରିଜରୁ ତାଙ୍କ ବାଇକ,ହେଲମେଟ,ଚପଲ ମିଳିଥିଲା I ପରିବାର ଲୋକେ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତନଘନା ଚଳାଇଥିଲା । ଅଗ୍ନିଶମ କର୍ମଚାରୀ ମାନେ ବୋଟ ସାହାଯ୍ୟରେ ଖୋଜାଖୋଜି କରୁଥିବା ସମୟରେ ମୃତ ଦେହଟି ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ l ମୃତଦେହକୁ ପାଣି ଭିତରୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିବା ପରେ ପରିବାର ଲୋକ ଦିବ୍ୟରଞ୍ଜନ ମିଶ୍ରଙ୍କୁ ଚିହ୍ନଟ କରିଛନ୍ତି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି ଦିବ୍ୟଙ୍କ ବାପା । ମୋର ପୁଅର ଆକାଣ୍ଟରୁ ଟଙ୍କା କାରବାର ଘଟଣା ବିଷୟରେ ମୁଁ ଜାଣି ନାହିଁ ବୋଲି କହିଛନ୍ତି । ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଏହାର ଉଚ୍ଚିତ ତଦନ୍ତ ହେଲେ ଭବିଷ୍ୟତରେ ଆଉ କୌଣସି ବାପ ତାର ପୁଅକୁ ହରାଇବ ନାହିଁ ବୋଲି ସେ କହିଛନ୍ତି ।

Spread the love