ପ୍ରଥମ ଶିଖ୍‌ ଭାବେ ବିଜେପି ସଂସଦୀୟ କମିଟିରେ ସ୍ଥାନ ପାଇଲେ ଏହି ନେତା; ଜାଣନ୍ତୁ କଣ ରହିଛି ଏହା ପଛର ରାଜନୈତିକ କାରଣ ?

ଚଣ୍ଡୀଗଡ଼ l ନୂଆଦିଲ୍ଲୀ ୧୭/୦୮: ବିଜେପି ବୁଧବାର ସଂସଦୀୟ କମିଟି ପୁନର୍ଗଠନ କରିଛି।  ଏଥିରେ କିଛି ପୁରୁଣା ନେତାଙ୍କୁ ବାଦ ଦେଇ ନୂଆ ନେତାମାନଙ୍କୁ ସାମିଲ କରାଯାଇଛି। ଏଥିରେ ୧୧ ଜଣ ନେତା ସ୍ଥାନ ପାଇଛନ୍ତି। କିନ୍ତୁ  ଏହି ୧୧ ଜଣିଆ ତାଲିକାରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସ୍ଥାନ ମିଳିନାହିଁ।  ଅନ୍ୟପଟେ ଏହି ସଂସଦୀୟ କମିଟିରେ ଇକୱାଲ ସିଂହ ଲାଲପୁରାଙ୍କୁ ଚୟନ କରାଯାଇଛି। ଇକୱାଲ ପୂର୍ବରୁ ଭାରତୀୟ ପୋଲିସ ସେବାରେ (ଆଇପିଏସ)ରେ ବିଭିନ୍ନ ପଦପଦବୀରେ ନିଜର ଦାୟିତ୍ୱଭାର ସମ୍ଭାଳିଛନ୍ତି। ପରେ ୨୦୧୨ ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ଅଛନ୍ତି। ବିଜେପି ଏବେ ଲାଲପୁରାଙ୍କୁ ସଂସଦୀୟ କମିଟିରେ ସ୍ଥାନ ଦେବା ପଛରେ ବିଭିନ୍ନ କାରଣ ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।      

ଲାଲପୁରାଙ୍କୁ ସଂସଦୀୟ କମିଟିରେ ସ୍ଥାନଦେବା ଅନେକ ଗୁରୁତ୍ୱ ବହନ କରୁଛି। କାରଣ ବିଜେପି ଏବେ ପଞ୍ଜାବରେ ଚାଷୀମାନଙ୍କର ବିରୋଧ ଓ ବିମୁଖତାର ସାମ୍ନାକରୁଛି। ସେଥିପାଇଁ ପଞ୍ଜାବକୁ ବିଜେପି ସବୁବେଳେ ଗୁରୁତ୍ୱଦେଇ ଆସିଛି। ବିଜେପିରେ କୌଣସି ଉଚ୍ଚ ପଦପଦବୀ ହାତେଇବାରେ ଲାଲପୁରା ପଞ୍ଜାବର ଦ୍ୱିତୀୟ ନେତା ହୋଇଛନ୍ତି।

ଏହା ପୂର୍ବରୁ ପୂର୍ବ ରାଜ୍ୟମନ୍ତ୍ରୀ ବିଜୟ ସାମ୍ପଲାଙ୍କୁ ରାଷ୍ଟ୍ରୀୟ ଅନୁସୁଚିତ ଜାତି ଓ ଜନଜାତି ଆୟୋଗର ଅଧ୍ୟକ୍ଷ କରାଯାଇଥିଲା। ପଞ୍ଜାବ ବିଧାନସଭା ନିର୍ବାଚନରେ କୃଷକମାନଙ୍କର ବିଜେପି ପ୍ରତି ବିତୃଷ୍ଣା ଓ ଘୃଣାଭାବ ସ୍ପଷ୍ଚ ଦେଖିବାକୁ ମିଳିଛି। ସେଠାରେ ବିଜେପି ଅମରିନ୍ଦର ସିଂହଙ୍କୁ ନେଇ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ନିର୍ବାଚନରେ ଜିତିପାରିନଥିଲା। ଫଳରେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦଳ ଆପ୍‌ ସେଠାରେ କ୍ଷମତାକୁ ଆସିଥିଲା। ତେଣୁ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପଞ୍ଜାବରେ ବିଜେପି ତାର ସ୍ଥିତି ସୁଦୃଢ଼ କରିବାକୁ ଚେଷ୍ଠା କରୁଛି। ତେଣୁ ଇକୱାଲ ସିଂହ ଲାଲପୁରାଙ୍କୁ ସଂସଦୀୟ କମିଟିରେ ସ୍ଥାନ ଦେଇ ବିଜେପି ଏକ ବଡ଼ ପଦକ୍ଷେପ ନେଇଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

ସେପଟେ ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ହେବା ପୂର୍ବରୁ ଲାଲପୁରା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ରହିସାରିଛନ୍ତି। ଜଣେ ଆଇପିଏସ ଅଧିକାରୀ ଭାବେ ସେ ପଞ୍ଜାବର ବିଭିନ୍ନ ଜାଗାରେ ନିଜର ସେବା ଦେଇଛନ୍ତି।  ସେ ଅମୃତସର, ତରଣତାରଣରେ ଏସଏସପି ଭାବେ ମଧ୍ୟ କାମ କରିଛନ୍ତି। ସେହିପରି ତରଣତାରଣରେ ସିଆଇଡିର ଅତିରିକ୍ତ ମହାନିରିକ୍ଷକ ଭାବେ ନିଜର ଦାୟିତ୍ୱ ତୁଲାଇଛନ୍ତି। ଜଣେ ଆଇପିଏସ ଭାବେ ପଞ୍ଜାବରେ ତାଙ୍କର ଲୋକପ୍ରିୟତା ଓ ନିର୍ମଳ ଭାବମୁର୍ତ୍ତି ରହିଛି। ଏହା ବିଜେପିକୁ ଆସନ୍ତା ନିର୍ବାଚନରେ ବିରୋଧିମାନଙ୍କୁ ମାତ ଦେବାକୁ ସହଜ କରାଇବ ବୋଲି ରାଜନୈତିକ ବିଶ୍ଳେଷକ ମତଦେଇଛନ୍ତି।    

Spread the love