ମନୁଷ୍ୟକୃତ ବନ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ: ସମୀର ମହାନ୍ତି

ଭୁବନେଶ୍ୱର, ତା.୧୭/୦୮: ରାଜ୍ୟବାସୀଙ୍କୁ ଜଳବନ୍ଦୀ କରି ହନ୍ତସନ୍ତ କରୁଥିବା ଚଳିତ ବର୍ଷର ବନ୍ୟା ସଂପୂର୍ଣ୍ଣ ମନୁଷ୍ୟକୃତ । ରାଜ୍ୟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହେଉଥିବାବେଳେ ବନ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବେଖାତିର ଓ ମନମୁଖୀ ଶାସନ କାରଣରୁ ରାଜ୍ୟର ଲୋକେ ପାଣିଘେରରେ ରହି ଜୀବନ ଓ ଜୀବିକା ସହ ସଂଗ୍ରାମ କରୁଛନ୍ତି । ସଚିବାଳୟରେ ବସି ରହି ଏବଂ ଗଣମଧ୍ୟମ ଜରିଆରେ ସଫଳତାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ‘ଗ୍ରାଉଣ୍ଡ ଜିରୋ’ରେ ଫେଲ ମାରିଛି । ବନ୍ୟା, ବାତ୍ୟା ବହୁଳ ରାଜ୍ୟ ହୋଇଥିବାରୁ ଓଡିଶାବାସୀ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ଦୁର୍ଦ୍ଦଶା ଅବର୍ଣ୍ଣନୀୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ନିଜେ ପୁରୀ ଜିଲ୍ଲା କଣାସ ବ୍ଲକର ବଳଭଦ୍ରପୁର, ବଡାସ, ଦୋକନ୍ଦା, ସାନପୁଟ, ବୋତଲମା, ଗଡବଳଭଦ୍ରପୁର, ଅଶ୍ୱସ୍ତପାରି, ବୈଦନାଥପାଟଣା, କଖାରୁବସ୍ତ, ତରପଡା, ବାଲିପାଟଣା, କଦଳିଦୋଣ୍ଡା ଗାଁ ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ବିଜେପିର ଗୋଟିଏ ଦଳ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଆଜି କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ପାଥପୁର ଓ କଇମୁଣ୍ଡି ପଂଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମାଂଚଳ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଅମର ନାୟକ, ପିଙ୍କି ପ୍ରଧାନ, ସ୍ଥାନୀୟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ପାଢୀ ପ୍ରମୁଖ ସାମିଲ ଥିଲେ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରତିନିଧି ଦଳ କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ବ୍ଲକର ବଶାପୁର, ପୁରୁଷୋତମପୁର ପଂଚାୟତର ବିଭିନ୍ନ ଗ୍ରାମ; ମାର୍ଶାଘାଇ ବ୍ଲକର ଜଳପୋକ, କରିଲୋପାଟଣା, ଆୟତପୁର, ଡିହବଳରାମପୁର, ମେହେନ୍ଦୀନଗର, କରାଣ୍ଡିଆପାଟଣା ପଂଚାୟତର ବିଭିନ୍ନ ଗ୍ରାମ; ମହାକାଳପଡା ବ୍ଲକର ଆଖୁଆ, ବଉଳାଙ୍ଗ, ରାଘବପୁର, ମାଣ୍ଡିଆକୁଦ, ପରକୁଳ, ପିକରାଳି, ତିଖିରି, ମଙ୍ଗରାଜପୁର ପଂଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ତଥା ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ପ୍ରମୁଖ ସାମିଲ ଥିଲେ ।


ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ ଓ ତଦାରଖ ସମୟରେ ବନ୍ୟାଂଚଳବାସୀଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଦେଖିବା ସହିତ ତାଙ୍କଠାରୁ ବାସ୍ତବ ସ୍ଥିତି ସଂପର୍କରେ ଶୁଣିଥିଲେ । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କୈାଣସି ପୂର୍ବ ପ୍ରସ୍ତୁତି ନଥିଲା । ଏହି କାରଣରୁ ବ୍ୟାପକ ମାତ୍ରାରେ ଧନ ଜୀବନ, ପଶୁ ସଂପଦ କ୍ଷୟକ୍ଷତି ହୋଇଛି । ବନ୍ୟା ଏବଂ ଜଳ ନିଷ୍କାସନ ପରିଚାଳନାରେ ଫେଲ ହୋଇଥିବା ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଇବାର ଡ୍ରାମାବାଜୀ ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ କ୍ଷତିଗସ୍ତଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରବା ପାଇଁ ବନ୍ୟାଂଚଳ ଗସ୍ତ କରିଥିବା ପ୍ରତିନିଧି ଦଳର ସଦସ୍ୟମାନେ ଦାବୀ କରିଛନ୍ତି ।

Spread the love