ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ :  ପଦ୍ମଶ୍ରୀ କମଳା ପୂଜାରୀ (୬୫)ଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ଏସ୍‌ସିବି ମେଡିକାଲରେ ରହି ଆଉ ଚିକିତ୍ସିତ ହେବାର ଆବଶ୍ୟକତା ନାହିଁ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ଙ୍କ ସୁପାରିସ କ୍ରମେ ଗତକାଲି କମଳାଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି। ତେବେ କମଳାଙ୍କର ରକ୍ତଚାପ ୧୪୨/୭୮ ମିମି/ଏଚ୍‌ଜି ରହିଥିବାବେଳେ ସ୍ବାଭାବିକ ଭାବେ ପରିସ୍ରା ହେଉଛି। ସେ ଏବେ ନିୟମିତ ମେଡିସିନ ସହ ଖାଦ୍ୟରେ ପ୍ରୋଟିନ, ପୋଟାସିୟମ ଓ ଲୁଣ କମ୍‌ ଖାଇବାକୁ ପରାମର୍ଶ ଦିଆଯାଇଛି। ସେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗରେ ନିୟମିତ ଡାକ୍ତରୀ ପରାମର୍ଶ କରାଇବା ସହ ଆବଶ୍ୟକ ହେଲେ ଏସ୍‌ସିବି ମେଡିକାଲକୁ ରେଫର ହୋଇ ଆସିପାରିବେ ବୋଲି ଡାକ୍ତରୀ ଟିମ୍‌ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, କମଳା ଝାଡ଼ା ଓ ଜ୍ୱରରେ ପୀଡ଼ିତ ଥାଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେ ମଧ୍ୟ ଗତ ୨ ବର୍ଷ ହେବ କିଡ୍‌ନୀ ରୋଗରେ ପୀଡ଼ିତ ଅଛନ୍ତି।

Spread the love