ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା, ବେକରେ ରହିଛି କ୍ଷତିଚିହ୍ନ
ଭୁବନେଶ୍ୱର ୦୨/୦୯: ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମଟମ୍ ରିପୋର୍ଟ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି ମୃତଦେହ ବ୍ୟବଛେଦ ସରିଛି ଏବଂ ରିପୋର୍ଟ ବି ଆସି ସାରିଛି । ଏହା ପୋଲିସକୁ ହସ୍ତାନ୍ତର କରାଯିବ । କୌଣସି କପଡା ବ୍ୟବହାର କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି ।
କାରଣ ବେକରେ କପଡା ଚାପି ହେବା ଭଳି କ୍ଷତ ଚିହ୍ନ ରହିଛି । ଶବ ପଞ୍ଚନାମାରୁ ପୋଲିସ ଜାଣିବାକୁ ପାଇଛି, ଶୁଭଶ୍ରୀଙ୍କ ବେକରେ ଥିବା ଲିଗାଚର ମାର୍କ (କଳା ଦାଗ) ଥିଲା । ଡାହାଣ ପାଶ୍ୱର୍ ଗାଲରେ ଏକ ଛୋଟିଆ ରାମ୍ପୁଡ଼ା ଚିହ୍ନ ରହିଛି । ବାମ ପାଶ୍ୱର୍ କାନ ଉପରକୁ ମୁଣ୍ଡ ଫୁଲିଥିଲା । ମୃତ୍ୟୁ ପୂର୍ବରୁ ହତ୍ୟାକାରୀ ସହ ଶୁଭଶ୍ରୀଙ୍କ ଝଗଡ଼ା ଲାଗିଥିଲା। କିଛି ସମୟ ପାଇଁ ହତ୍ୟାକାରୀ ସହ ଶୁଭଶ୍ରୀ ଲଢ଼ିଥିଲେ ।
ପୋଲିସ ସନ୍ଦେହ କରୁଛି, ବାରମ୍ବାର ଫୋନ୍ କଲ୍ ପରେ ବାବୁନା ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ କୌଣସି କାରଣ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବ । ପରେ ଶୁଭଶ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବେ । ନଚେତ୍ ବାବୁନା ସେଠାରୁ ଖସି ଯିବା ପରେ ଶୁଭଶ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବେ ।ସେପଟେ ଶାସ୍ତ୍ରୀନଗରେ ଶୁଭଶ୍ରୀ ମହାପାତ୍ରଙ୍କ ହତ୍ୟା ମାମଲାରେ ଏକ ବଡ଼ ସୁରାକ ହାତରେ ଲାଗିଛି ।
ଶୁଭଶ୍ରୀଙ୍କ ମୋବାଇଲ୍ର କଲ୍ ଡିଟେଲ୍ସ ରେକର୍ଡ (ସିଡିଆର୍) ରିପୋର୍ଟରୁ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ନୟାଗଡ଼ର ଜଣେ ଯୁବକ ମୃତ୍ୟୁ ପୂର୍ବରୁ ଶୁଭଶ୍ରୀଙ୍କୁ ବାରମ୍ବାର ଫୋନ୍ କରିଥିବା ସୂଚନା ମିଳିଛି । ତାଙ୍କ ନାଁ ଚିତ୍ତରଂଜନ ଜେନା ଓରଫ ବାବୁନା । ସେ ଶୁଭଶ୍ରୀଙ୍କ ପୈତୃକ ଗାଁର ଦୂର ସଂପର୍କୀୟ । ବାବୁନା ଘଟଣାଦିନ ସନ୍ଧ୍ୟାରେ ଅପରାଧସ୍ଥଳ ଅର୍ଥାତ ଶୁଭଶ୍ରୀଙ୍କ ଘରକୁ ଯାଇ ଝଗଡ଼ା କରିଥିବା ପୁଲିସ ଜାଣିବାକୁ ପାଇଛି ।
ସିଡିଆର ରିପୋର୍ଟ ଦର୍ଶାଉଛି, ଘଟଣାଦିନ ସନ୍ଧ୍ୟା ସାଢ଼େ ୬ଟାରୁ ୭ଟା ମଧ୍ୟରେ ଶୁଭଶ୍ରୀଙ୍କ ମୋବାଇଲ୍ରୁ ୭ରୁ ଅଧିକ ଥର ବାବୁନାଙ୍କୁ ଫୋନ୍ ଯାଇଥିଲା ମୃତ୍ୟୁର ପ୍ରାୟ ଅଧ ଘଣ୍ଟା ପୂର୍ବରୁ ଶେଷଥର ପାଇଁ ବାବୁନାଙ୍କୁ ଫୋନ୍ କଲ୍ କରାଯାଇଥିଲା । ଯାହାର ଅବଧି ମାତ୍ର ୨୭ ସେକେଣ୍ଡ ଥିଲା । ସ୍ୱାମୀ ଅନନ୍ତ ନାରାୟଣ ନାଥ ମଧ୍ୟ ଅଭିଯୋଗ କପିରେ ବାବୁନାକୁ ସନ୍ଦିଗ୍ଧ ଭାବେ ଦର୍ଶାଇଥିଲେ ।
ଖାରବେଳନଗର ପୁଲିସ ଟିମ୍ ବୁଧବାରଠୁ ବାବୁନାକୁ ଖୋଜୁଥିଲା । ନୟାଗଡ଼ ପୁଲିସ ଜରିଆରେ ବାବୁନା ଘରେ ନଥିବା ଜାଣିଥିଲା । ବୁଧବାର ବିଳମ୍ବିତ ରାତିରେ ପୁଲିସ ରାଜଧାନୀରୁ ବାବୁନାକୁ କାବୁ କରି ଥାନାକୁ ଆଣିଥିଲା । ଗୁରୁବାର ସକାଳେ ତାଙ୍କୁ ପୁଲିସ ଜେରା କରିଥିଲା । ଡିସିପି ପ୍ରତୀକ ସିଂ ଖୋଦ୍ ଥାନାକୁ ଯାଇ ବାବୁନାଙ୍କୁ ଜେରା କରିଥିଲେ ।
ବାବୁନା ସହ ଶୁଭଶ୍ରୀଙ୍କ ସମ୍ପର୍କ କ’ଣ? ପୂର୍ବରୁ ଉଭୟେ ଚିହ୍ନା ପରିଚିତ କି? ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା କି? ଘଟଣାଦିନ ଶୁଭଶ୍ରୀ କାହିଁକି ତାଙ୍କୁ ଫୋନ୍ କରିଥିଲେ? ଶେଷ ୨୭ ସେକେଣ୍ଡ କଥାବାର୍ତ୍ତା କ’ଣ ଥିଲା? ବାବୁନା ଶାସ୍ତ୍ରୀନଗରସ୍ଥିତ ଘରକୁ ଯାଇଥିଲେ କି ନାହିଁ? ପୁଲିସ୍ର ଟିମ୍ ଏନେଇ ବାବୁନାଙ୍କୁ ଢ଼େର୍ ପ୍ରଶ୍ନ ପଚାରିଥଲା ।
ତେବେ ଯାହା ଜଣା ପଡ଼ିଛି ଶୁଭଶ୍ରୀଙ୍କ ବାହାଘର ପରେ ଗତ ୩/୪ ବର୍ଷ ହେବ ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ଼ ହୋଇଥିଲା । ସେପଟେ ପୁଲିସକୁ ପ୍ରାଥମିକ ଶବ ବ୍ୟବଛେଦ ରିପୋର୍ଟ ମିଳିିଛି । ଯେଉଁଥିରେ ଶୁଭଶ୍ରୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥିବା ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ ତାଙ୍କ ବେକରେ ଥିବା ଲିଗାଚର ମାର୍କ (କଳାଦାଗ)ଟି ଆତ୍ମହତ୍ୟା ଜନିତ ନା ବେକକୁ କେହି ଚିପିବା ଯୋଗୁଁ ଏଭଳି ଚିହ୍ନ ହୋଇଛି, ଏନେଇ ଦ୍ୱନ୍ଦ ଲାଗିରହିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଫେସିଆଲ୍ ମାକ୍ରୋବାଲ୍ ଟ୍ରାନ୍ସପ୍ଲାଣ୍ଟେସନ (ଏଫ୍ଏମ୍ଟି) କରିବାକୁ ପୁଲିସ ଯୋଜନା କରିଛି ।