ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ନଦୀରେ ବୁଡି ୧୧ ମୃତ

ନୂଆଦିଲ୍ଲୀ, ୧୦|୦୯: ହରିୟାଣା ଓ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୧୧ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଶିଶୁ ମଧ୍ୟ ସାମିଲ ଅଛନ୍ତି । ତେବେ ଗଣେଶ ଭସାଣି ବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଛି । ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ ୪ ଜଣ ଯୁବକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ସେହିପରି ସୋନିପତ ଜିଲ୍ଲାରେ ଦୁଇ ଜଣ ମୂର୍ତ୍ତି ବିସର୍ଜନ ବେଳେ ସଳୀଳ ସମାଧି ନେଇଛନ୍ତି । ଯମୁନା ନଦୀରେ ଏହି ଅଘଟଣ ଘଟିଛି । ଏତତ୍ ବ୍ୟତୀତ ଉତ୍ତର ପ୍ରଦେଶର ସନ୍ଥ କବୀର ନଗରରେ ମଧ୍ୟ ୭ ଜଣ ବୁଡି ପ୍ରାଣ ହରାଇଛନ୍ତି ।ମହେନ୍ଦ୍ରଗଡ ଘଟଣାକୁ ନେଇ ଡାକ୍ତର ଅଶୋକ କୁମାର କହିଛନ୍ତି ଯେ, ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ସେମାନେ ପ୍ରାଣ ହରାଇ ସାରିଥିଲେ । ମୂର୍ତ୍ତି ବିସର୍ଜନ ବେଳେ ୯ ଯୁବକ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅନ୍ୟମାନଙ୍କୁ  ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୟୁପିର ସନ୍ଥ କବୀର ନଗରରେ ମଧ୍ୟ ୪ ଜଣ ନଦୀରେ ବୁଡି ଯାଇଥିଲେ । ପୋଲିସ ମାଛଧରାଳିଙ୍କ ସହଯୋଗରେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ପୋଷ୍ଟମଟର୍ମ ପାଇଁ ମୃତଦେହ ପଠାଯାଇଥିଲା ।

Spread the love