ୟୁକ୍ରେନ ଦୁଃସାହାସ ଆଗରେ ନଇଁଲା ଋଷିଆ, ଖାର୍କିଭରୁ ହଟାଇଲା ସେନା

ମସ୍କୋ ୧୧।୯: ଋଷିଆ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୭ ମାସ ପୁରିଛି। ଗତ ସପ୍ତାହରେ ୟୁକ୍ରେନ ସେନା ଖାର୍କିଭ ଉପରେ ଦ୍ୱିତୀୟବାର ନିୟନ୍ତ୍ରଣ ସହିତ ବେଶ୍ ପ୍ରଗତି ହାସଲ କରିଛି। ଏଥିରେ ଋଷିଆ ଶନିବାର ଖାର୍କିଭରୁ ସେନା ପ୍ରତ୍ୟାହାର ଘୋଷଣା କରିବା ୟୁକ୍ରେନର ବଡ ଉପଲବ୍ଧି ବୋଲି ଏବେ କୁହାଯାଉଛି। ଦୀର୍ଘ ୭ ମାସର ଯୁଦ୍ଧରେ ଋଷିଆ ଏବେ କେବଳ କିଛି ଉପକୂଳ ସହର ଓ ବନ୍ଦର ଉପରେ ନିଜର କର୍ତ୍ତୃତ୍ୱ ଜାହିର କରି ରଖିଥିବାବେଳେ ସେ ସବୁକୁ ମଧ୍ୟ ୟୁକ୍ରେନ ସେନା ପୁଣି ନିଜ ନିୟନ୍ତ୍ରଣକୁ ନେବାରେ ବେଶି ଡେରି ଲାଗିବନି ବୋଲି ଏବେ କୁହାଯାଉଛି।

ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର କୋନାଶ୍ରକୋଭଙ୍କ ଅନୁସାରେ  ଖାର୍କିବର ବାଲକଲିୟା ଇଜ୍ୟୁମ ଅଞ୍ଚଳରୁ ହଟା ଯାଇଥିବା ସେନାଙ୍କୁ ପୂର୍ବ ଡୋନେଟସ୍କରେ ମୁତୟନ କରାଯାଉଛି। ତେବେ ଖାର୍କିଭରେ ଇଜ୍ୟୁମ ଋଷିଆର ଏକ ବଡ ସୈନ୍ୟ ଆଡ୍ଡା ଭାବେ କାମ କରୁଥିଲା।  ଗତ ଦିନରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ବାଲକଲିୟା ଅଞ୍ଛଳରୁ ଋଷିଆ ସେନାର ପ୍ରତ୍ୟାହାରରେ ଲୋକେ ଉତ୍ସବ ପାଳନ କରୁଥିବାର ଦେଖା ଯାଇଥିଲା।

ତେବେ କୋନାଶ୍ରକୋଭଙ୍କ ଅନୁସାରେ ଡୋନବାସକୁ  ୟୁକ୍ରେନ ନିୟନ୍ତ୍ରଣରୁ ମୁକ୍ତ କରିବା କ୍ରମରେ ଋଷିୟ ସୈନିକଙ୍କୁ ଖାର୍କିଭରୁ ହଟା ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଋଷିଆ ଡୋନବାସକୁ ସ୍ୱାୟତ୍ତ ସମ୍ପନ୍ନ କ୍ଷେତ୍ର ଘୋଷଣା କରିଛି। ସେପଟେ ୟୁକ୍ରେନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଓଲେହୋ ନିକୋଲେଙ୍କୋ ୟୁକ୍ରେନ ପୁଣି ଥରେ କୁପିୟାଂସ୍କ ଉପରେ ନିଜର ନିୟନ୍ତ୍ରଣ ପୁଣି ପ୍ରାପ୍ତ କରିଥିବା କହିଛନ୍ତି। ଇଜ୍ୟୁମ ପରି କୁପିୟାଂସ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଲାଇନ ବୋଲି ନିକୋଲେଙ୍କୋ କହିଛନ୍ତି।  

Spread the love