ଓଡ଼ିଶା ସମେତ ଏହି ୪ ରାଜ୍ୟକୁ ପାଣିପାଗ ବିଭାଗର ସତର୍କ ସୂଚନା, ପୁଣି ତାଣ୍ଡବ ରଚିବ ବର୍ଷା

ନୂଆଦିଲ୍ଲୀ: ପୁଣିଥରେ ତାଣ୍ଡବ ରଚିବା ଆରମ୍ଭ କରିଦେଇଚି ମୌସୁମୀ ବର୍ଷା। ପୂର୍ବରୁ ଉତ୍ତରାଖଣ୍ଡରେ ବର୍ଷା ଅନେକ କ୍ଷତି କରିଥିବା ବେଳେ ଏବେ ପୁଣିଥରେ ରାଜ୍ୟରେ ମୂଶଳ ଧାରାରେ ବର୍ଷା ଜାରି ରହିଛି। ଆଗକୁ ଆହୁରି ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ କେବଳ ଉତ୍ତରାଖଣ୍ଡରେ ନୁହେଁ ଓଡ଼ିଶା, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ମଧ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପ୍ରବଳ ବର୍ଷା ପାଇଁ ଉତ୍ତରାଖଣ୍ଡର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପିଥୋରଗଡ଼ ଓ ଡେରାଡୁନ ସମେତ ଏହି ଜିଲ୍ଲାଗୁଡ଼ିକରେ ଆସନ୍ତା ୪ ଦିନ ଯାଏ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ଉତ୍ତରାଖଣ୍ଡ ଧାରଚୁଲାର ଖୋଟିଲା ଅଞ୍ଚଳରେ ଜଳପ୍ରଳୟ ଯୋଗୁ ନେପାଳର ଛପ୍ପାଲୀ ଠାରେ ବାଦଲ ଫଟାବର୍ଷା ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ପିଥୋରଗଡ଼ର ଧାରାଚୁଲାରେ କାଳୀ ନଦୀରେ ହଠାତ୍ ବନ୍ୟାଜଳ ବୃଦ୍ଧି ପାଇଛି। ଫଳରେ ସେଠାରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ, ୟୁମନୋତ୍ରୀ ଓ ରାଜଧାନୀ ଡେରାଡୁନ୍‌ରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଗଙ୍ଗୋତ୍ରୀ ଜାତୀୟ ରାଜପଥକୁ ଦବାରକୋଟ ଓ ୟମୁନୋତ୍ରୀ ରାଜପଥକୁ ହେଲଗୁ ଗାଡରେ ବନ୍ଦ କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମୀ ଧାରାଚୁଲାରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରେ ବୁଲି ଦେଖିଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ପଶ୍ଚିମ ମଧ୍ୟ ଓ ତତ୍‌ସଂଗଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ପ୍ରଦେଶ ତଥା ଓଡ଼ିଶାର ଦକ୍ଷିଣାଞ୍ଚଳରେ ଏକ ଲଘୁଚାପ ୱେଲ୍‌ମାର୍କରେ ପରିଣତ ହୋଇଛି। ରବିବାର ସକାଳେ ଏହା ଅବପାତର ରୂପ ନେବ ନେଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି।  

ଓଡ଼ିଶା, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପାଇଁ ସତର୍କ ସୂଚନା ଜାରୀ
ଲଘୁଚାପ ଯୋଗୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏହି ରାଜ୍ୟଗୁଡ଼ିକର ଉପକୂଳ ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ସେହିପରି ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ମଧ୍ୟ ଆସନ୍ତା ୫ ଦିନ ଧରି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ସେହିପରି ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତିନି ଦିନ ଧରି ବର୍ଷା ହେବ।  

ଅନ୍ୟପଟେ ଦକ୍ଷିଣ ରାଜ୍ୟ ତାମିଲନାଡୁ, ପୁଡ଼ୁଚେରୀ ଓ କରାଇକଲରେ ଆଜି କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇପାରେ। ସେପ୍ଟମ୍ବର ୧୨ ତାରିଖରେ କେରଳ ଓ କର୍ଣ୍ଣାଟକରେ ବର୍ଷା ହେବାକୁ ଥିବା ବେଳେ ସେପ୍ଟେମ୍ବର ୧୩ ତାରିଖରେ ଗୁଜୁରାଟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  

ଓଡ଼ିଶା ପାଣିପାଗ ଖବର

ଅବପାତରେ ପରିଣତ ପରିଣତ ହୋଇଛି ଲଘୁଚାପ। ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଥିବା ବେଳେ ଆଜି ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ରହିବ। ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଭୀଷଣ ବର୍ଷା ହେଉଛି। ୧୦ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ସେହିପରି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୦ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ଜିଲ୍ଲାରେ ୭୦ରୁ ୧୧୦ ମିମି ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏପଟେ ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି ।

Spread the love