୨୯ ଯାଏଁ ରେଜିଷ୍ଟ୍ରେସନ କରିପାରିବେ ହବିଷ୍ୟାଳି

ପୁରୀ ୧୩।୦୯ : କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ୍ଵ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି ଶିବିରରେ ଚାଲିଛି ପ୍ରସ୍ତୁତି । ଏମାନଙ୍କ ପାଇଁ ମାଗଣା ରହଣି ସହ ମହାପ୍ରସାଦ ସେବନ, ପୂଜାନୀତି, ଗମନାଗମନ ଓ ସ୍ବାସ୍ଥ୍ୟସେବାର ସମସ୍ତ ବ୍ୟବସ୍ଥା କରିଛି ପ୍ରଶାସନ।

ଅକ୍ଟୋବର ୧୦ରୁ ଆରମ୍ଭ ହେଉଛି ମହାକାର୍ତ୍ତିକ ବ୍ରତ। ଦୁଇ ବର୍ଷ ପରେ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ହେବ। ହବିଷ୍ୟାଳି ଯୋଜନା ପାଇଁ ରାଜ୍ୟ ବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଂଗଳବାର ଠାରୁ ଆରମ୍ଭ ହେବ ମାଗଣା ପଞ୍ଜିକରଣ। ଯେକୌଣସି ହବିଷ୍ୟାଳି ଏହି ଯୋଜନାରେ ସାମିଲ ହୋଇ ବ୍ରତ ପାଳନର ସମସ୍ତ ସୁବିଧା ପାଇ ପାରିବେ। ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ କରିବା ସହ ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ହ୍ବାଟ୍ସଆପ ନମ୍ବର ୯୪୩୭୦୮୦୬୩୨ରେ କଲ୍ କରି ପଞ୍ଜିକରଣ ବି କରିପାରିବେ ହବିଷ୍ୟାଳି ।

ପୂର୍ବରୁ ଅସ୍ଥାୟୀ ଶିବିରରେ ରହି ବ୍ରତ ପାଳନ କରୁଥିଲେ ହବିଷ୍ୟାଳି । ଚଳିତ ବର୍ଷ ସେମାନଙ୍କ ପାଇଁ ସରକାର ନିର୍ମାଣ କରିଛନ୍ତି ସ୍ଥାୟୀ ଶିବିର। ପ୍ରାୟ ୧୫ ଶହ ଶଯ୍ୟା ବିଶିଷ୍ଟ ସାତ ମହଲା ଉଚ୍ଚ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ନିର୍ମିତ ହୋଇଛି ବୃନ୍ଦାବତୀ ଭକ୍ତ ନିବାସ। ରହିବା ସହ ଭଜନ କୀର୍ତ୍ତନ ଓ ପୂଜାପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମେତ ଆନୁଷଙ୍ଗିକ ସୁବିଧା ସୁଯୋଗ ବି ରହିଛି । ଏହି ବ୍ୟବସ୍ଥାକୁ ସେବାୟତ ଓ ମଠ ମହନ୍ତ ସ୍ବାଗତ କରିଛନ୍ତି।  ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ।

Spread the love