ସିଲ୍ ହେଲା କିଶୋର ଭାଇନା ମଟନ

ଭୁବନେଶ୍ୱର ୧୫/୦୯: ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ହୋଟେଲ ଚଢଉ କରିଥିଲା । ଦୋକାନର ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଲଗାଇଛି ବିଭାଗ ।

ମଟନ ଦୋକାନ ଚାରି କଡ଼ରେ ଅସ୍ୱାସ୍ଥ୍ୟକର ପରିବେଶ । ଡ୍ରେନ୍‌ ପାଖରେ ଦୋକାନ । ଏହାରି ଭିତରେ ଦୋକାନ ଚାଲୁଥିଲା । ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ । ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଅତି ନିମ୍ନମାନର ସସ୍‌କୁ ବ୍ୟବହାର କରାଯାଉଥିଲା । ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଛି । ତେଣୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଛି । ଫୁଡ୍‌ ଲାଇସେନ୍ସକୁ ବାତିଲ କରିଛି ବିଭାଗ । ପୂର୍ବରୁ ଏଠାରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।

ସେହିପରି ନୂଆପଲ୍ଲୀରେ ଥିବା ୩ କ୍ୟୁ ରେଷ୍ଟୁରାଣ୍ଟ, ଗଜପତି ନଗରରେ ସନ୍ଧ୍ୟାରାଣୀ ହୋଟେଲ ଓ ରେଷ୍ଟୁରାଣ୍ଟ ଏବଂ କିଛି ଫାଷ୍ଟଫୁଡ ଦୋକାନରେ ମଧ୍ୟ ଖାଦ୍ୟ ସୁରକ୍ଷା ବିଭାଗ ଚଢଉ କରିଛି । ସବୁଠି ଖାଦ୍ୟର ମାନ ଯାଞ୍ଚ କରାଯିବା ସହ ନମୁନା ସଂଗ୍ରହ ହୋଇଛି । ଆଗକୁ ପାର୍ବଣ ଥିବାରୁ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ବିଭାଗ ନିୟମିତ ଚଢଉ କରୁଛି ।

Spread the love