ଫାଣ୍ଡି ଆଗରେ ହଣାକଟା : ୩ଜଣ ଅଟକ

ସୋର ୧୫।୦୯: ଫାଣ୍ଡି ଆଗରେ ହଣାକଟା। ଜମିଜମା ବିବାଦକୁ କେନ୍ଦ୍ରକରି ରଣକ୍ଷେତ୍ର ପାଲଟିଲା ଫାଣ୍ଡି ସମ୍ମୁଖ। ଗୋଷ୍ଠୀ ସଙ୍ଘର୍ଷରେ ୩ ଗୁରୁତର ହୋଇଥିବା ବେଳେ ୩ ଜଣଙ୍କୁ ଅଟକ ଅଛନ୍ତି। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାଉଡ ଫାଣ୍ଡି ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, ବାହାନଗା ବ୍ଲକ ଆରୁହା ଅଞ୍ଚଳର ଇଶ୍ଵର ସାହୁ ଓ ତାଙ୍କର ଦାଦା ପୁଅ ଭାଇମାନଙ୍କ ସହ ଜମିଜମା ବିବାଦ ଲାଗିରହିଥିଲା । ଏହି ବାବଦରେ ଇଶ୍ଵର ସାଉଡ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଉକ୍ତ ଘଟଣାକୁ ନେଇ ଉଭୟ ପକ୍ଷଙ୍କୁ ନିଜର ପକ୍ଷ ରଖି ଘଟଣାର ସମାଧାନ ପାଇଁ ଡାକିଥିଲେ । କିନ୍ତୁ ଘଟଣାର କୌଣସି ସମାଧାନ ହୋଇପାରିନଥିଲା । ପରେ ଫାଣ୍ଡି ଆଗରେ ଇଶ୍ଵର ସାହୁଙ୍କ ଭାଇମାନଙ୍କୁ ତାଙ୍କର ଦାଦା ପୁଅ ଭାଇମାନେ ଅତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ର ଆକ୍ରମଣ କରିଥିଲେ । ଏହି ଗୋଷ୍ଠୀ ସଙ୍ଘର୍ଷରେ ୩ ଜଣ ଆହତ ହୋଇଥିଲେ ।  ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ୩ ଜଣ ଆକ୍ରମଣକାରୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

Spread the love