ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ଚଳିତବର୍ଷ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲ୍ଲାର ପୋଲିସବାହିନୀ ସହ ଅଧିକ ୨୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସେଥିମଧ୍ୟରେ କଟକରେ ୫୦ ପ୍ଲାଟୁନ, ଭୁବନେଶ୍ୱରରେ ୪୦, ବାଲେଶ୍ୱରରେ ୧୯, ଭଦ୍ରକରେ ୧୩, ରାଉରକେଲାରେ ୧୧ ଓ ସମ୍ବଲପୁରରେ ୮ ପ୍ଲାଟୁନ ଫୋର୍ସ ଜିଲ୍ଲା ପୋଲିସକୁ ପୂଜା ପରିଚାଳନାରେ ସହାୟତା କରିବେ। ପୂଜା ପାଇଁ ସେମାନେ ଏକ ସପ୍ତାହ ବ୍ୟାପୀ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା, ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ ପରିଚାଳନା କରିବେ। ଏ ନେଇ ଅତିରିକ୍ତ ଡିଜିପି (ଆଇନ୍‌ଶୃଙ୍ଖଳା) ଆର୍‌. କେ. ଶର୍ମା କହିଛନ୍ତି, ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଦୁର୍ଗାପୂଜା, ରାବଣ ପୋଡ଼ି ଓ ଭସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସାମ୍ପ୍ରଦାୟିକ ହିଂସା, ଅସାମାଜିକ ଓ ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସର ତୀକ୍ଷ୍ଣ ନଜର ରଖିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପୂଜା ମଣ୍ଡପଗୁଡ଼ିକରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି।

Spread the love