ଲସଭେଗାସ୍‌ରେ ଛୁରିକା ଆକ୍ରମଣ, ୨ମୃତ

ଲସଭେଗାସ୍ ୭।୧୦:  ଆମେରିକା ଲସଭେଗାସ ଷ୍ଟ୍ରିପ୍‌ରେ ଛୁରିକା ଆକ୍ରମଣ ହୋଇଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଲସଭେଗାସ୍ ପୋଲିସ ଆତତାୟୀକୁ ଗିରଫ କରିଛି। ପୋଲିସ ସନ୍ଦିଗ୍ଧକୁ ଚିହ୍ନଟ କରିନଥିବା ବେଳେ ଛୁରିକା ଆକ୍ରମଣ ପଛରେ ଅସଲ ଉଦ୍ଦେଶ୍ୟ କଣ ଜଣାପଡି ନାହିଁ। ଏହି ଆକ୍ରମଣ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌ରେ ଲସଭେଗାସ ଷ୍ଟ୍ରିପର ଉତ୍ତରପାର୍ଶ୍ୱରେ ହୋଇଛି।

ଛୁରିକା ଆକ୍ରମଣରେ ଆହତଙ୍କ ମଧ୍ୟରେ ଅଧିକାଂଶ ‘ସୋ ଗାର୍ଲ’। ରାସ୍ତାକଡରେ ଛିଡା ହୋଇଥିବା ସୋଗାର୍ଲସଙ୍କ ସହ ଫଟୋ ଉଠାଇବାକୁ ବ୍ୟକ୍ତି ହାତରେ ଛୁରି ଧରି ପହଞ୍ଚିଥିଲା। ସେ ନିଜକୁ ଜଣେ ସେଫ ବୋଲି ପରିଚୟ ଦେଇ ଫଟୋ ଉଠାଇବାକୁ ଆସିଥିବା କହିବାରୁ ସୋ ଗାର୍ଲମାନେ ତା ସହ ଫଟୋ ଉଠାଇବାକୁ ରାଜି ହୋଇ ନଥିଲେ। ଏଥିରେ ସେ ଉତକ୍ଷିପ୍ତ ହୋଇ ଛୁରି ଆକ୍ରମଣ କରିଥିବାର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି। ପୋଲିସ ସୂଚନା ଅନୁସାରେ ଆକ୍ରମଣରେ ଆହତ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଅନ୍ୟ୩ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ଲସଭେଗାସ ପୂର୍ବରୁ କାଲିଫର୍ଣ୍ଣିଆ ମର୍ସେଡ କାଉଣ୍ଟିରେ ଏକ ଭାରତୀୟ ଶିଖ୍ ପରିବାରକୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଘଟଣା ସାରା ବିଶ୍ୱରେ ଚହଳ ପକାଇଥିବା ବେଳେ ଲସଭେଗାସ ଘଟଣା ଚର୍ଚାକୁ ନୂଆ ଖୋରାକ ଯୋଗାଇଛି। ତେବେ ମର୍ସେଡ କାଉଣ୍ଟି ହତ୍ୟା ପଛରେ ବ୍ୟକ୍ତିଗତ ଶତ୍ରୁତା କାରଣ ଥିବାର ଏବେ ସନ୍ଦେହ କରାଯାଉଛି। ଏହି ହତ୍ୟାକାଣ୍ଡରେ ଏକ ୮ ମାସର ଶିଶୁ କନ୍ୟା ସମେତ ମୋଟ ୪ ଜଣଙ୍କୁ ହତ୍ୟା କରାଯାଇଥିଲା।  

Spread the love