ସମ୍ଭାବ୍ୟ ବାତ୍ୟା ନେଇ ଏସ୍‌ଆରସିଙ୍କ ବୈଠକରେ ନିଷ୍ପତ୍ତି: ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ବୈଠକ । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରାକ୍‌ ପ୍ରସ୍ତୁତି ବୈଠକରେ ଆଲୋଚନା କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ପାଣିପାଗ ବିଭାଗ ଅଧିକାରୀ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଅଧିକାରୀ ବି ସାମିଲ ଥିଲେ । ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତିଲ କରାଯାଇଛି ସରକାରୀ କର୍ମଚାରୀଙ୍କର ଦିପାବଳୀ ଛୁଟି । ହେଡ କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ରହିଛି । ୨୨ ତାରିଖରେ ଲଘୁଚାପ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସରକାରଙ୍କ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଇଛି ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ଗତିପଥ କୁଆଡ଼େ ରହିବ ସେ ନେଇ କିଛି ସ୍ପଷ୍ଟ ହୋଇନି । କିନ୍ତୁ ଲଘୁଚାପ ଓ ଡିପ୍ରେସନ୍‌ ପ୍ରଭାବରେ ଉପକୂଳ ଓଡ଼ିଶା ଜିଲ୍ଲାରେ ବର୍ଷା ହୋଇପାରେ । ସବୁ ବିଭାଗ ଓ ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରଶାସନ ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନେଇ ସଜାଗ ଅଛନ୍ତି । ରାଜ୍ୟ ସରକାର ପରିସ୍ଥିତି ଉପରେ ରଖିଛନ୍ତି ନଜର । ବିଭିନ୍ନ ପାଣିପାଗ ମଡେଲ୍‌ ସମ୍ଭାବ୍ୟ ବାତ୍ୟାର ଗତିପଥ ଉତ୍ତର ଓଡ଼ିଶାରୁ ପଶ୍ଚିମବଙ୍ଗ ଦେଖାଉଛନ୍ତି । ବାତ୍ୟା ପଶ୍ଚିମବଙ୍ଗ ଉପକୂଳ ମୁହାଁଇଲେ ବି ଓଡ଼ିଶାରେ ପ୍ରଭାବ ପକାଇପାରେ । ଡିପ୍ରେସନ୍‌ ହେବା ପରେ ଜଣା ପଡ଼ିବ ଏହାର ତୀବ୍ରତା । କିନ୍ତୁ ମୁକାବିଲା ପାଇଁ ପ୍ରଶାସନିକ କଳ ତୟାର ରହିଛି ।

Spread the love