ପୁରୀରେ ୧୧୦୦ ହବିଷ୍ୟାଳୀ ଅସୁସ୍ଥ

ପୁରୀ : ପୁରୀରେ ୧୧ଶହ ହବିଷ୍ୟାଳୀ ଅସୁସ୍ଥ ହୋଇପଡ଼ିଛନ୍ତି। ବୃନ୍ଦାବତୀ ନିବାସ ପରିସର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ଏହାରି ଭିତରେ ବୃନ୍ଦାବତୀ ନିବାସରୁ ପାରିବାରିକ, ସ୍ବାସ୍ଥ୍ୟଗତ ଓ ଅନ୍ୟାନ୍ୟ ସମସ୍ୟା ଦର୍ଶାଇ ୧୦ଜଣ ହବିଷ୍ୟାଳୀ ଶିବିର ଛାଡ଼ିଥିବା ଜଣାପଡ଼ିଛି। ଏମାନେ ନୟାଗଡ଼ ଓ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ଶ୍ରୀକ୍ଷେତ୍ରରେ ସରକାରଙ୍କ ୫ ହବିଷ୍ୟାଳୀ ଶିବିରରେ ପ୍ରାୟ ୩ହଜାର ହବିଷ୍ୟାଳୀ ରହି କାର୍ତ୍ତିକ ଵ୍ରତ ପାଳନ କରୁଛନ୍ତି। ସେଥିମଧ୍ୟରୁ ବୃନ୍ଦାବତୀ ନିବାସରେ ସର୍ବାଧିକ ୧୬ଶହରୁ ଅଧିକ ବ୍ରତଧାରିଣୀ ରହୁଛନ୍ତି। ଏଠାରେ ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ପଞ୍ଜିକୃତ ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା କରାଯାଇଛି। ଏହି ଶିବିରରୁ ନୟାଗଡ଼ ଜିଲ୍ଲା ବଡ଼ପଣ୍ଡୁସରର ରମାବତୀ ସାହୁ, ବିରୁଡ଼ାର ରମା ମହାପାତ୍ର, ରଣପୁରର ମହୁରୀ ଦେଇ, କୃଷ୍ଣବଲ୍ଲଭପୁରର ସୁକାନ୍ତୀ ବେହେରା, ପୁରୀ ଜିଲ୍ଲା ରୂପଦେଇପୁରର ବିନୋଦିନୀ ମିଶ୍ର, ପ୍ରମିଳା ମିଶ୍ର, ବଡ଼ଓରାର ପ୍ରମିଳା ସାହୁ, କୁସୁବେଣ୍ଟି ଜଗନ୍ନାଥପୁରର ସାଥୀ ବେହେରା, କଳାପଦରର ରୋହିଣୀ ବେହେରା, ପୁରୀ ପୌରପାଳିକା ଶ୍ରୀକ୍ଷେତ୍ର କଲୋନିର ସୁଲୋଚନା ମାର୍ଥା, ଏପରି ୧୦ଜଣ ହବିଷ୍ୟାଳୀ ଶିବିର ଛାଡ଼ିଛନ୍ତି। ସଭିଁଙ୍କ ଶିବିର ଛାଡ଼ିବାର କାରଣ ସ୍ବାସ୍ଥ୍ୟଗତ ସମସ୍ୟା ବୋଲି ଦର୍ଶାଯାଇଛି।

ସେହିଭଳି ୨୨ଜଣ ହବିଷ୍ୟାଳୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହୁରି ଅନେକ ହବିଷ୍ୟାଳୀଙ୍କ ଦେହ ଖରାପ ଥିବାରୁ ବୃନ୍ଦାବତୀ ନିବାସ ପରିସରରେ ତାଙ୍କ ଚିକିତ୍ସା ଚାଲିଛି। ୧୧ଶହ ଜଣ ହବିଷ୍ୟାଳୀ ବୃନ୍ଦାବତୀ ନିବାସ ପରିସର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି।

Spread the love