ସପ୍ତମ ଜିଲ୍ଲା ମହୋତ୍ସବ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

  • ଅନୁଗୁଳ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଆୟୋଜିତ ସାମାଜିକ,ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ଓ ପ୍ରଗତିର ଗଣ ପର୍ବ ସପ୍ତମ ଜିଲ୍ଲା ମହୋତ୍ସବ-୨୦୧୯ସ୍ଥାନୀୟ ଷ୍ଟାଡିୟମ ପରିସରରେ ମହାଆଡମ୍ବରରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବର ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ନିଜ ବକ୍ତବ୍ୟରେ ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ଅନୁଗୁଳକୁଜିଲ୍ଲା କରିବା ।

ଜିଲ୍ଲା ମହୋତ୍ସବ କିଛି ବର୍ଷ ହୋଇପାରି ନଥିଲା । ଗତ ୩ ବର୍ଷ ହେବ ମହୋତ୍ସବ ହେଉଥିବାରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେବା ସହ ଖଣି ଖଦାନ ରେ ଭରପୁର ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା ହେଉଛି ସରକାରୀ ଯୋଜନାକୁ ରୂପାୟନ କରିବାରେ ପ୍ରଥମ ଜିଲ୍ଲା ବୋଲି କହିଥିଲେ । ତତ୍ ସହିତ ଅନୁଗୁଳ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ଅବଦାନ ଥିବାରୁ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ମହେଶ ସାହୁ,ଆଠମଲ୍ଲିକ ବିଧାୟକ ସଞ୍ଜିବ କୁମାର ସାହୁ,ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଐତିହ୍ୟ, କଳା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ ।

ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସାମଲ ନିଜ ବକ୍ତବ୍ୟରେ ଅନୁଗୁଳ ଜନସାଧାରଣ କଳା,ସଂସ୍କୃତି,ସାହିତ୍ୟପ୍ରେମୀବୋଲି କହିବା ସହ ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବାରେ ଅନୁଗୁଳ ଜିଲ୍ଲା ପ୍ରଥମ ବୋଲି କହିଥିଲେ ।ତତ୍ ସହିତ ମହାନଦୀରୁ ଅନୁଗୁଳକୁ ମହାନଦୀ ପାଣି ଯୋଗାଇ ଦେବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଉଛି ଏବଂ ଦୁଇଟି ସୁଇମିଙ୍ଗ ପୁଲ କରିବା ପାଇଁ ଏ ବାବଦରେ ୩ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ସୂଚନା ଦେଇଥିଲେ । ମହୋତ୍ସବର ଉଦ୍ଘାଟନି ସନ୍ଧ୍ୟାରେ ଅନୁଗୁଳ ନୃତ୍ୟ ନିଳୟ କଳାକାରଙ୍କ ପକ୍ଷରୁ ଓଡିଶୀ ନୃତ୍ୟ,ଗଞ୍ଜାମର ଯୋଡି ଶଙ୍ଖ, ପଞ୍ଜାବର ଭାଙ୍ଗଡା ନୃ୍ତ୍ୟ,ଗୁଜୁରାଟର ସିଦ୍ଧିଧମାଲ, ସୁନ୍ଦରଗଡର ସମ୍ବଲପୁରୀ ନୃତ୍ୟ,ବୈାଦ୍ଧ ନୃତ୍ୟ ଦଳ,କୋରାପୁଟର ଆଦିବାସୀ ନୃତ୍ୟ, ପ୍ରଭୃତି ପରିବେଷଣ କରାଯାଇଥିବା ବେଳେ ଓଡିଆ ଚଳଚିତ୍ର ଅଭିନେତ୍ରୀ ଏଲିନା ଓ ମାନସୀ ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏବଂ ଓଡିଆ ଚଳଚିତ୍ର ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଆର ଏସ କୁମାର ସଙ୍ଗୀତ ପରିବେଷଣ କରିଥିଲେ ।

ମହୋତ୍ସବ ଅବସରରେ ଷ୍ଟାଡିୟମ ପରିସରରେ ରାଜ୍ୟ ସଂସ୍କୃତି ବିଭାଗ,ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ଏବଂ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ମିଳିତ ସହଯୋଗରେ ପଲ୍ଲିଶ୍ରୀ ମେଳା ଓ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ,ବିଶାଳ ଯୋଗ ଓ ପ୍ରାଣାୟାମ ଶିବିର,ବାଲୁକା କଳା ପ୍ରଦର୍ଶନ,ଲେଖକ ଓ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି ଉତ୍ସବରେ ଏଡିଏମ ତପନ ଶତପଥି,ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟ , ଉପଜିଲ୍ଲାପାଳ ବାସୁଦେବ ଶତପଥି ,ଡିଆଇପିଆରଓ ଶରତ ଚନ୍ଦ୍ର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁ,ଡେପୁଟୀ କଲେକ୍ଟର ସରିତା ପ୍ରଧାନ,ବୈତୁରା ଦୀପ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଏହି ଅବସରରେ ଅନୁଗୁଳ ଜିଲ୍ଲାର ପ୍ରତିଭା ସମ୍ପନ୍ନ ୪ ଜଣ ବିଶିଷ୍ଟ ବ୍ୟକ୍ତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର,ଅବସରପ୍ରାପ୍ତ ଆଇପିଏସ ଶରତ ଚନ୍ଦ୍ର ମିଶ୍ର,ଡ. ଶରତ ଚନ୍ଦ୍ର ଦାସ ଏବଂ ଖଗେଶ୍ୱର ପ୍ରଧାନଙ୍କୁ ଅନୁଗୁଳ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଅନୁଷ୍ଠିତ ସପ୍ତମ ଜିଲ୍ଲା ମହୋତ୍ସବର ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ ଏହି ମହୋତ୍ସବର ଉଦଘାଟନୀଉତ୍ସବରେ ଷ୍ଟାଡିୟମ ପରିସରରେ ହଜାର ହଜାର ଜନ ସାଧାରଣ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସଭା ପରେ ପଞ୍ଜାବ ର ଭଙ୍ଗଡ଼ା , ବୌଦ୍ଧ ଜିଲ୍ଲାର କୁନି କୁନି କଳାକାର ମାନଙ୍କ ନୃତ୍ୟ ସହ ଓଲିଉଡର ଗାୟକ ହ୍ୟୁମାନ ସାଗରଙ୍କ କଣ୍ଠରେ ଗୀତ ପରିବେଷଣ ଓ ଅଭିନେତ୍ରୀ ଏଲିନାଙ୍କ ନୃତ୍ୟ ରେ ଦର୍ଶକ ବେଶ ଝୁମିଥିଲେ । 

Spread the love