ମିଶନଶକ୍ତିର ମା’ମାନଙ୍କୁ ଟଙ୍କା ବାଂଟିବା ଭଳି ଅପରାଧ କରିବାକୁ ବାଧ୍ୟ କରୁଛି ବିଜେଡି: ଡ.ଲେଖାଶ୍ରୀ

ଭୁବନେଶ୍ୱର : ଏସ୍‌ଏଚ୍‌ଜି ମା’ମାନଙ୍କୁ ଢାଲ କରି ଧାମନଗର ନିର୍ବାଚନ ବୈତରଣୀ ପାରହେବା ଲାଗି ବିଜୁ ଜନତା ଦଳ ହୀନ ଚକ୍ରାନ୍ତ କରୁଛି । ମା’ମାନଙ୍କୁ ସମ୍ମାନ ଦେବା ପରିବର୍ତେ ତାଙ୍କୁ ନିର୍ବାଚନ ପ୍ରଚାର ଓ ଭୋଟରଙ୍କୁ ଟଙ୍କା ବଂଟା ପାଇଁ ବ୍ୟବହାର କରୁଛି ବିଜେଡି । ମା’କୁ ସମ୍ମାନ ଦେଉଥିବା କଥା ଡିଣ୍ଡିମ ପିଟୁଥିବାବେଳେ ଅପରାଧୀ ସଜାଇ ଜେଲ୍ ପଠାଇବାକୁ ପଛାଉନାହିଁ ବିଜେଡି । ଧାମନଗର ଉପନିର୍ବାଚନ ମଇଦାନରେ ମିଶନଶକ୍ତିର ମା’ମାନଙ୍କ ମାଧ୍ୟମରେ ଭୋଟ ପାଇଁ ଭୋଟରଙ୍କୁ ଟଙ୍କା ବାଂଟିବାର ଦାୟିତ୍ୱ ଦେଇ ପରୋକ୍ଷରେ ମା’ମାନଙ୍କୁ ଅପରାଧୀ ସଜାଉଛି ବିଜେଡି । ରାଜ୍ୟରେ ମହିଳା ଅସୁୁରକ୍ଷିତ । ଏପରିକି ରାଜ୍ୟରେ ଅଧିକାଂଶ ମହିଳା ଦୁଷ୍କର୍ମ, ନାରୀ ନିଯ୍ୟାତନା, ଶିଶୁ ଅପହରଣ ପ୍ରଭୃତି ଘଟଣାରେ ଖୋଦ୍ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ସଂପୃକ୍ତ ଥିବାର ପ୍ରମାଣ ପରେ ବି ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନନେଇ ନିରବ ସାଜିଛନ୍ତି । ନିର୍ବାଚନ ଜିତିବା ଲାଗି ପ୍ରଶାସନିକ ଅଧିକାରୀ ଓ ମିଶନଶକ୍ତିର ସିଆର୍‌ପି, ଏମ୍‌ବିକେମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇ ଆଦର୍ଶ ଆଚରଣ ବିଧିର ଖୋଲା ଖୋଲି ଉଲଘଂନ କରୁଛି ବିଜେଡି । ପୂର୍ବରୁ ଆଚରଣ ବିଧି ଉଲଘଂନ ସମ୍ପର୍କରେ ତଥ୍ୟ ପ୍ରମାଣ ସହ ବାରମ୍ବାର ଭାରତୀୟ ଜନତା ପାର୍ଟି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରି ଆସିଛି । ହେଲେ ଶାସକ ଦଳ ପକ୍ଷରେ କିଛି ଫରକ ପଡୁନାହିଁ । ଆଜି ତଥ୍ୟ ପ୍ରମାଣ ସହ ୨ଜଣ ସରକାରୀ କର୍ମଚାରୀ ନିୟମ ଉଲଘଂନ କରି ଶାସକ ଦଳ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ ନେଇ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଲିଖିତ ଦାବିପତ୍ର ଦେଇଛନ୍ତି ।
ସୂଚନାଥାଉ କି, ପୂର୍ବରୁ ଏସ୍‌ଏଚଜି ମହିଳା ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ବିଜେପି ସିଇଓଙ୍କୁ ଅବଗତ କରିଥିଲା । ସେମାନଙ୍କ ବିରୋଧରେ କେବଳ ଏଫଆଇଆର୍ ଦେଇ ପ୍ରଶାସନ ଚୁପ୍ ବସିଥିବାବେଳେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବା ଚାକିରୀରୁ ନିଲମ୍ବନ କରାଯାଇନାହିଁ । ପୁଣି ଲଜ୍ଜ୍ୟାହୀନ ବିଜେଡି ସରକାରୀ ତହବିଲରୁ ଦରମାପ୍ରାପ୍ତ କର୍ମଚାରୀମାନଙ୍କୁ ଦଳୀୟ ପ୍ରଚାରରେ ଲଗାଉଛି । ଦୁଇ ସରକାରୀ କର୍ମଚାରୀ ହେଲେ ଧାମନଗର ବ୍ଲକର ଗୋଠିଣା ଗାଁ ବୟାଙ୍ଗଡିହି ପଂଚାୟତର ଅନଙ୍ଗ ମଞ୍ଜରୀ ବେହେରା (ସିଆର୍‌ପି) ଓ ମା’ଶାରଳା ଦେବୀ ମହାବିଦ୍ୟାଳୟର କିରାଣୀ ନୃସିଂହ ଚରଣ ନନ୍ଦୀ ନିଜ ବେକରେ ବିଜୁ ଜନତା ଦଳର ଉତରୀୟ ପକାଇବା ସହ ପୁସିଂକାର୍ଡ ଧରି ପ୍ରଚାର କରୁଥିବାର ଫଟୋ ପ୍ରମାଣ ସହ ରାଜ୍ୟ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଏହି ଦୁଇ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର ଓ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଡ. ଲେଖାଶ୍ରୀ ସାମନ୍ତସିଂହାର ସିଇଓଙ୍କ ନିକଟରେ ଦାବି କରିଛନ୍ତି । ମିଶନଶକ୍ତିର ମା’ମାନଙ୍କୁ ଏବଂ ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲଗାଇବା କେଉଁ “ସମ୍ମାନ” ସେକଥା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଓଡ଼ିଶାବାସୀଙ୍କ ଟିକସ୍ ଅର୍ଥରୁ ମାସିକ ବେତନ ନେଇ ସରକାରୀ କର୍ମଚାରୀମାନେ ବିଜେଡିର ପ୍ରଚାର କରିବା କେତେଦୂର ଯଥାର୍ଥ ଏବଂ ଏହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁନାହିଁ କି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ଧାମନଗର ନିର୍ବାଚନ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ କୁଚକ୍ରାନ୍ତ ଓ ହୀନ ରାଜନୀତି କରି ମତଦାତାଙ୍କୁ ଭ୍ରମିତ କରୁଛନ୍ତି । ଉପନିର୍ବାଚନ ହାରିବା ଭୟରେ ବିଜେଡି ବ୍ୟସ୍ତ ହୋଇ ପ୍ରଶାସନ କଳ, ବଳ ବ୍ୟବହାର କରିବା ସହ ସାଧାରଣ ଲୋକଙ୍କୁ ନାଲିଆଖି ଦେଖାଉଛି । ଏହି ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ସିଇଓଙ୍କ ନିକଟରେ ବିଜେପି ଦାବି କରିଛି ।
ଏହି ପ୍ରତିନିଧି ମଣ୍ଡଳିରେ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love