ଧାମନଗର ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ନିରପକ୍ଷତା ସନ୍ଦେହଜନକ: ସମୀର ମହାନ୍ତି

ଧାମନଗର/ଭୁବନେଶ୍ୱର, ତା.୩୦/୧୦ : ଧାମନଗର ଉପନିର୍ବାଚନ ଚାଲିଥିବା ବେଳେ ଏଠାରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଶାସକ ଦଳର ଚାମଚା ଭଳି ବ୍ୟବହାର କରୁଛନ୍ତି । ସେମାନଙ୍କର କାର୍ଯ୍ୟକଳାପ ଦେଖିଲେ ଲାଗୁଛି ଯେମିତି ସେମାନେ ଶାସକ ଦଳକୁ ଜିତାଇବା ପାଇଁ ସମସ୍ତ ସରକାରୀ ନୀତିନିୟମ ଭୁଲିଯାଉଛନ୍ତି । ନିର୍ବାଚନ ପରିଚାଳନାରେ ନିରପକ୍ଷତା ଅବଲମ୍ବନ କରିବା ବଦଳରେ ସେମାନେ ଶାସକ ଦଳର କର୍ମୀ ଭଳି ବ୍ୟବହାର କରୁଛନ୍ତି । ଏହି ପ୍ରସଙ୍ଗରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ପୋଲିସ ଏସପିଙ୍କୁ ଭେଟି କଡା ଅଭିଯୋଗ କରିଛନ୍ତି ।


ଏହି ପ୍ରସଙ୍ଗରେ ସମୀର ମହାନ୍ତି କହିଛନ୍ତି ଯେ, ଏବେ ଧାମନଗରରେ ପଂଚାୟତ ସ୍ତରରେ କାମ କରୁଥିବା ବିଭିନ୍ନ ସରକାରୀ କର୍ମଚାରୀ ମାନଙ୍କ ମାଧ୍ୟମରେ ବିଜୁ ଜନତା ଦଳ ଭୋଟରମାନଙ୍କୁ ପ୍ରଲୋଭନ କରିବା ପାଇଁ ଟଙ୍କା ବାଂଟୁଛି । ଏମିତି କରାଯାଉଥିବାର ଅନେକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । କିଛି ଦିନ ତଳେ ଜଣେ ମହିଳା ସିଆରପି କର୍ମଚାରୀ ବିଜେଡି ର‌୍ୟାଲିରେ ଯାଇଥିବାରୁ ମହିଳାମାନଙ୍କୁ ଟଙ୍କା ବାଂଟୁଥିବାର ଭିଡିଓ ଭାଇରାଲ ହୋଇଥିଲା । ସେହିଭଳି ଧାମନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କର ଜନ୍ମଦିନ ଦିନ ମହିଳାମାନଙ୍କୁ ସରକାରୀ ଅର୍ଥ ବଂଟାଯାଇଥିଲା ଯାହା କେବଳ ଧାମନଗର ଅଂଚଳରେ ହିଁ ବଂଟାଯାଇଥିଲା, ବାକି ରାଜ୍ୟରେ ଅନ୍ୟ କେଉଁଠି ନୁହେଁ । ଆସନ୍ତା କାଲି ଧାମନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନୀ ସଭା ପାଇଁ ଲୋକ ଏକାଠି କରିବାକୁ ସିଆରପି, ଏମବିକେ, ପଂଚାୟତ ନିର୍ବାହି ଅଧିକାରୀ, ପାଣି ଯୋଗାଣ କର୍ମଚାରୀ, ବିଡିଓ, ଶିକ୍ଷକ ଇତ୍ୟାଦିଙ୍କୁ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକମାନେ ଚାପ ପକାଉଛନ୍ତି । ସେହିଭଳି ଚଳିତ ମାସର ବାର୍ଦ୍ଧ୍ୟକତ୍ତଓ ବିଧବା ଭତାକୁ ନିର୍ବାଚନରେ ସରକାରୀ ଦଳକୁ ସୁହାଇବା ପାଇଁ ଧାମନଗର ଅଂଚଳରେ ଆଗୁଆ ଅଗ୍ରିମ ଦିଆଯାଇଛି । ରେସନ କାର୍ଡ ଯୋଗାଉଥିବା ଡିଲରମାନେ ବିଜୁ ଜନତା ଦଳକୁ ଭୋଟ ନଦେଲେ ତୁମର ରେସନ କାର୍ଡ କଟିଯିବ ବୋଲି ଲୋକମାନଙ୍କୁ ଧମକାଉଛନ୍ତି । ବିଡିଓଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ପକ୍କା ଘର କାଟିଦିଆଯିବାର ଧମକ ଭୋଟରମାନଙ୍କୁ ଦିଆଯାଉଛି । ଏଭଳି ସ୍ଥିତିରେ ଧାମନଗରରେ ମୁକ୍ତ, ନିରପକ୍ଷ ଓ ଅବାଧ ନିର୍ବାଚନ ପରିଚାଳନା ଅସମ୍ଭବ । ଏଭଳି ସ୍ଥିତିରେ ଜିଲ୍ଲା ନିର୍ବାଚନ ଅଧିକାରୀଭାବରେ ଜିଲ୍ଲାପାଳ ଯେଭଳି ତତପରତା ଦେଖାଇବା କଥା ତାହା ଦେଖିବାକୁ ମିଳୁନାହିଁ ।


ତେଣୁ ଜିଲ୍ଲାପାଳ ଏହି ସମସ୍ତ ଦିଗକୁ ଅତି ଗମ୍ଭୀରତାର ସହ ନେବା ସହିତ କିଭଳି ସରକାରୀ କର୍ମଚାରୀମାନେ ନିର୍ବାଚନ ସମୟରେ ଓ ନିର୍ବାଚନ ପରିଚାଳନାରେ ଶାସକ ଦଳକୁ ଜିତାଇବା ସକାଶେ କୌଣସି ପକ୍ଷପାତିତା ନକରନ୍ତି ସେ ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
ସେହିଭଳି କିଛି ଦିନ ତଳେ ଭଦ୍ରକ ଜିଲ୍ଲା ଏସପି କେବଳ ବିଜେପିର ୧୦୮୬ ଜଣ କାର୍ଯ୍ୟକର୍ତା ଓ ସମର୍ଥକମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ସିଆରପିସି ଧାରା ୧୦୭ ଆଧାରରେ ନୋଟିସ ପଠାଇ ସେମାନଙ୍କୁ ସବ କଲକ୍ଟେରଙ୍କ ସାମନାରେ ଜାମିନ ନେବା ପାଇଁ ବାଧ୍ୟ କରିଛନ୍ତି । ଏହା ସମ୍ପୃର୍ଣ୍ଣ ଭାବରେ ଶାସକ ଦଳର ଇଙ୍ଗିତରେ ବିଜେପିର କାର୍ଯ୍ୟକର୍ତାଙ୍କୁ ହଇରାଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ବାସ୍ତବରେ ଶାସକ ଦଳର କର୍ମୀମାନେ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରି ଅଶାନ୍ତିର ବାତାବରଣ କରିଥାଆନ୍ତି । ଏହା ସହିତ ନିର୍ବାଚନ ପୁର୍ବ ଦିନ ଶାସକ ଦଳ ପକ୍ଷ୍ୟରୁ ଟଙ୍କା ବଂଟା ଯିବା, ଲୋକମାନଙ୍କୁ ଧମକ ଦିଆଯିବାର ଆଶଙ୍କା ରହିଛି । ହେଲେ ପୋଲିସ ଯଦି ନିରପକ୍ଷ ନରହିବ ତାହେଲେ ଧାମନଗରରେ ଲୋକମାନେ ନିର୍ଭୟ ଭାବରେ ଭୋଟ ଦେଇ ପାରିବେ ନାହିଁ । ତେଣି ଜିଲ୍ଲା ଏସପି ନିଜର ସାମ୍ବିଧାନିକ ଦାୟୀତ୍ୱକୁ ନିର୍ବାହ କରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି ଜଣାଇଛନ୍ତି ।
ଏହି ପ୍ରତିନିଧୀ ମଣ୍ଡଳୀରେ ଦଳର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, କୁସୁମ ଟେଟେ, ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love